ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୩ ପାଇଁ ବିଗୁଲ୍ ବାଜି ସାରିଛି। ଏଥର ମିନି ନିଲାମ ପାଇଁ ୪୦୫ ଖେଳାଳିଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଖେଳାଳିଙ୍କୁ ନେଇ ସମସ୍ତ ୧୦ ଫ୍ରାଞ୍ଚାଇଜି ନିଜର ନିଲାମ ଡାକରା ଦେବେ। ନିଲାମ କୋଚିରେ ଡିସେମ୍ବର ୨୩ରେ ଆୟୋଜିତ ହେବ। ମିନି ନିଲାମ ଭାରତୀୟ ସମୟନୁସାରେ ଅପରାହ୍ନ ୨ଟା ୩୦ରେ ଆରମ୍ଭ ହେବ। ଏଥର ମିନି ନିଲାମ ପାଇଁ ୭୧୪ ଭାରତୀୟଙ୍କ ସହିତ ମୋଟ୍ ୯୯୧ ଖେଳାଳି ନିଜର ନାମ ପଞ୍ଜିକରଣ କରାଇଥିଲେ। ଏଥିରୁ ସମସ୍ତ ୧୦ ଫ୍ରାଞ୍ଚାଇଜି ୩୬୯ ଖେଳାଳିଙ୍କୁ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିଥିଲେ। ମାତ୍ର ୩୬ ଅତିରିକ୍ତ ଖେଳାଳିଙ୍କୁ ସାମିଲ କରିବାକୁ ଦାବି ହୋଇଥିଲା।
ଏହାକୁ ମିଶାଇ ମୋଟ୍ ୪୦୫ ଖେଳାଳିଙ୍କ ଉପରେ ନିଲାମ ଡାକରା ଦେବେ ଫ୍ରାଞ୍ଚାଇଜି। ଏଥିରୁ ୨୭୩ ଭାରତୀୟ ଖେଳାଳି ହୋଇଥିବା ବେଳେ ୧୩୨ ଖେଳାଳି ବିଦେଶୀ। ସମସ୍ତ ଖେଳାଳିଙ୍କ ମଧ୍ୟରୁ ୧୧୯ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ବାକି ୨୮୨ ଖେଳାଳି ଅନ୍ତର୍ଜାତୀୟ ମୁକାବିଲାରେ ପଦାର୍ପଣ କରି ନାହାନ୍ତି।
ତେବେ ଏହି ନିଲାମରେ ସାମିଲ୍ ସମସ୍ତ ୧୦ ଫ୍ରାଞ୍ଚାଇଜିଙ୍କ ନିକଟରେ ଖେଳାଳିଙ୍କୁ କିଣିବା ପାଇଁ କେବଳ ୮୭ଟି ସ୍ଥାନ ଖାଲି ରହିଛି। ଅର୍ଥାତ ସର୍ବାଧିକ ଏତିକି ଖେଳାଳି ହିଁ କିଣା ଯାଇ ପାରିବ। ଏଥିରେ ବିଦେଶୀ ଖେଳାଳିଙ୍କ ସର୍ବାଧିକ ୩୦ ସ୍ଥାନ ଖାଲି ରହିଛି। ଖେଳାଳିଙ୍କ ସର୍ବାଧିକ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି। ଏଥିରେ ୧୯ ଜଣ ବିଦେଶୀ ଖେଳାଳି ରହିଥିବା ବେଳେ ଦୁଇ ଜଣ ଭାରତୀୟ ଖେଳାଳି ରହିଛନ୍ତି। ଦୁଇ ଭାରତୀୟ ହେଉଛନ୍ତି ମନୀଷ ପାଣ୍ଡେ ଏବଂ ମୟଙ୍କ ଅଗ୍ରଓ୍ଵାଲ। ୧୧ ଖେଳାଳିଙ୍କ ମୂଳ ମୂଲ୍ୟ ବା ବେସ୍ ପ୍ରାଇସ୍ ଦେଢ କୋଟି ଟଙ୍କା ରହିଛି।





