ଭୁବନେଶ୍ୱର,୧୬/୧୨ (ସତ୍ୟପାଠ ବ୍ୟୁରୋ): ମହଙ୍ଗା ପଡିଲା ନୃତ୍ୟ ଭିଡିଓ କରିବା । ଭୋଜପୁରୀ ଗୀତର ତାଳରେ ନୃତ୍ୟ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା କାରଣରୁ ରାମ ଜନ୍ମଭୂମି ସୁରକ୍ଷା ନିମନ୍ତେ ମୁତୟନ ହୋଇଥିବା ୪ଜଣ ମହିଳା ପୁଲିସ କନେଷ୍ଟବଳ ନିଲମ୍ବିତ ହୋଇଥିବା କଥା ଆଜି ସରକାରୀ ସୂତ୍ରରୁ ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ବ୍ୟାପକଭାବେ ପ୍ରସାରିତ ହେଉଥିବା ଉକ୍ତ ଭିଡିଓରେ ନିଲମ୍ବିତ କନେଷ୍ଟବଳମାନେ ୟୁନିଫର୍ମ ପିନ୍ଧି ନ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଡିସେମ୍ବର ୬ ତାରିଖ ଦିନ ମହିଳା କନେଷ୍ଟବଳ କବିତା ପଟେଲ୍‌, କାମିନୀ କୁଶୱାହା, କାଶିଶ୍‌ ସହ୍‌ନି ଓ ସନ୍ଧ୍ୟା ସିଂହ ରାମ ଜନ୍ମଭୂମିଠାରେ ଡିୟୁଟିରେ ଥିଲେ। କିନ୍ତୁ, ସେମାନେ କର୍ତ୍ତବ୍ୟରେ ଅବହେଳା କରି ୪ ମହିଳା କନେଷ୍ଟବଳ ‘ଅଶିଲା’ ଚଳଚ୍ଚିତ୍ରର ‘ପତ୍‌ଲୀ କମରିୟାଁ’ ଗୀତର ତାଳେ ତାଳେ ନୃତ୍ୟ କରିଛନ୍ତି। ଉକ୍ତ ଭିଡିଓକୁ ନନ୍‌-ଷ୍ଟପ୍‌ ରେକର୍ଡ କରାଯାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଛି। ଇଣ୍ଟର୍‌ନେଟ୍‌ରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଜଣାପଡ଼ିଲା ଯେ, ଭିଡିଓରେ ଥିବା ମହିଳାଜଣକ ହେଉଛନ୍ତି ଜଣେ ପୁଲିସ କନେଷ୍ଟବଳ।

ତୁରନ୍ତ ଏହି ଖବର ଅଯୋଧ୍ୟା ପୁଲିସ କମିସନର୍‌ ମୁନିରାଜ ଜୀଙ୍କ ଦୃଷ୍ଟିକୁ ଅଣାଯିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଦାୟିତ୍ବହୀନତା ପ୍ରଦର୍ଶନ କରିଥିବା ଉକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଲାଗି ଆଦେଶ ଦିଆଯାଇଛି।