ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ବଢ଼ିଲା ଭାରତୀୟ ନୌସେନାର ଶକ୍ତି। ସ୍ବଦେଶ ନିର୍ମିତ ମିଶାଇଲ ବିଧ୍ବଂଶକ ଯୁଦ୍ଧପୋତ ‘ଆଇଏନଏସ ମୋରମୁଗାଓ’କୁ ରବିବାର ଦିନ ନୌସେନାରେ ସାମିଲ କରଯାଇଛି। ଏନେଇ ମୁମ୍ବାଇ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନୌସେନା ମୁଖ୍ୟ ଆଡମିରାଲ ଆର୍, ହରିକୁମାର ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଯୁଦ୍ଧପୋତକୁ ସାମିଲ କରାଯିବା ପରେ ଭାରତର ସମୁଦ୍ର ଶକ୍ତି ମଜଭୁତ ହେବ। ଟେକ୍ନୋଲଜି ଦୃଷ୍ଟିରୁ ଏହା ସବୁଠୁ ଉନ୍ନତ ଯୁଦ୍ଧପୋ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଥିଲେ। ନୌସେନା ମୁଖ୍ୟ କହିଥିଲେ ଯେ ଯୁଦ୍ଧପୋତକୁ ଗୋଆ ମୁକ୍ତି ଦିବସର ପୂର୍ବ ସଂଧ୍ୟାରେ ନୌସେନାରେ ସାମିଲ କରାଯିବା ଗତ ଏକ ଦଶନ୍ଧୀରେ ଯୁଦ୍ଧପୋତ ଡିଜାଇନ ଏବଂ ନିର୍ମାଣ କ୍ଷମତାରେ ହୋଇଥିବା ପ୍ରଗତିକୁ ସୂଚାଉଛି। ସେପଟେ ରାଜନାଥ ସିଂ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ଏବେ ବିଶ୍ବର ପଞ୍ଚମ ଅର୍ଥବ୍ୟବସ୍ଥାରେ ରହିଥିବା ବେଳେ ଏହା ୨୦୨୭ ଶେଷ ସୁଦ୍ଧା ତିନି ନମ୍ବର ଅର୍ଥବ୍ୟବସ୍ଥାକୁ ଆସିଥିବ।
ଭରାତୀୟ ନୌସେନା ଅନୁସାରେ, ଏହି ଯୁଦ୍ଧପୋତ ଦୂରସଂଚାର ଉପକରଣ, ଆଧୁନିକ ରଡାର ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ମିଶାଇଲ ମାରିବା ଏବଂ ଭୂପୃଷ୍ଠରୁ ଆକାଶକୁ ମାରିବାରେ ସକ୍ଷମ ଥିବା ମିଶାଇଲ ପ୍ରଣାଳୀ ଏଥିରେ ରଖାଯାଇଛି । ନୌସେନା କହିଛି ଏହି ଯୁଦ୍ଧତୋପର ଲମ୍ୱ ୧୬୩ ମିଟର, ଓସାର ୧୭ ମିଟର ତଥା ଓଜନ ୭,୪୦୦ ଟନ । ଏହାକୁ ଭାରତ ଦ୍ୱାରା ନିର୍ମିତ ସବୁଠୁ ଘାତକ ଯୁଦ୍ଧପୋତ ମଧ୍ୟରେ ଗଣାଯାଉଛି।
ପଶ୍ଚିମ ଉପକୂଳ ସ୍ଥିତ ଐତିହାସିକ ଗୋଆର ବନ୍ଦର ସହର ନାଁରେ ମୋରମୁଗାଓ ନାଁ ରଖାଯାଇଛି । ପର୍ତ୍ତୁଗାଲ ଶାସନରୁ ଗୋଆ ମୁକ୍ତି ହେବାର ୬୦ ବର୍ଷ ପୂର୍ତ୍ତି ଅବସରରେ ୨୦୨୧ ଡିସେମ୍ୱର ୧୯ରେ ପ୍ରଥମ ଥର ଏହି ଜାହାଜ ସମୁଦ୍ରକୁ ଓହ୍ଲାଇଥିଲା । ମୋରମୁଗାଓ ବିଶାଖପାଟନମ ଶ୍ରେଣୀର ଚାରି ବିଧ୍ୱଂସକ ମଧ୍ୟରୁ ଦ୍ୱିତୀୟ ବିଧ୍ୱଂସକ ଅଟେ । ଏହାର ଡିଜାଇନ ଭାରତୀୟ ନୌସେନାର ସ୍ୱଦେଶୀ ସଂଗଠନରେ ନିର୍ମାଣ କରାଯାଇଛି । ଏହାକୁ ମଝଗାଓଁ ଡକ୍ ଶିପବିଲ୍ଡର୍ସ ଲିମିଟେଡରେ ନିର୍ମାଣ କରାଯାଇଛି ।