‘ଦୁଇଗୁଣା ଦାମରେ ଦେଶୀ ସାମଗ୍ରୀ କିଣ କିନ୍ତୁ ଚାଇନା ସାମଗ୍ରୀକୁ ବୟକଟ୍ କର’: କେଜ୍ରିୱାଲ ଦେଲେ ଆହ୍ବାନ

ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟସ୍ଥ ତୱାଙ୍ଗ ଅଞ୍ଚଳରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁକୁ ନେଇ ଆଜି ପୁଣି ଥରେ ଆମ ଆଦମୀ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରୁ ବୟକଟ ଆହ୍ବାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଚାଇନା ଉତ୍ପାଦକୁ ବୟକଟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା। ସେ ଆହୁରି କହିଛନ୍ତି ଯେ, ଆମ ସେନା ଦେଶର ଗର୍ବ। ମୁଁ ଯବାନଙ୍କର ସାହସକୁ ନମସ୍କାର କରୁଛି। ଆହତ ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ମୁଁ ସେମାନଙ୍କର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ତେବେ ପୂର୍ବରୁ ମଧ୍ୟ କେଜ୍ରିୱାଲ ଚୀନ ସହିତ ବାଣିଜ୍ୟ କାରବାର ବନ୍ଦ କରିବାକୁ ଦାବି କରିଛନ୍ତି। କେଜ୍ରିୱାଲ କହିଥିଲେ ଯେ, ଆମେ କାହିଁକି ଚାଇନା ସହିତ ଆମର ବାଣିଜ୍ୟ ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି । ଆମଦାନୀ ବନ୍ଦ କରିଦେଲେ ଚୀନ୍ ଏକ ଶିକ୍ଷା ପାଇବ ଏବଂ ଭାରତ ରୋଜଗାର ପାଇବ। ତୱାଙ୍ଗ ସେକ୍ଟରର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି) ନିକଟରେ ଡିସେମ୍ବର ୯ରେ ଭାରତ ଏବଂ ଚୀନ୍‌ର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ​​ଯେଉଁଥିରେ ଉଭୟ ପାର୍ଶ୍ୱରୁ କିଛି ସୈନିକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖରେ ୩୦ ମାସରୁ ଅଧିକ ସମୟ ଧରି ଚାଲିଥିବା ସୀମା ବିବାଦ ମଧ୍ୟରେ ଗତ ୯ ତାରିଖରେ ଏହି ସମ୍ବେଦନଶୀଳ କ୍ଷେତ୍ର (ତାୱାଙ୍ଗ)ରେ ପିଏଲ୍‌ଏ (ପିପୁଲ୍ସ ଲିବରେସନ ଆର୍ମି) ସୈନିକମାନେ ୟାଙ୍ଗସେ ଅଞ୍ଚଳ‌ରେ ସ୍ଥିତାବସ୍ଥା‌ ପରିବର୍ତ୍ତନ ଉଦ୍ୟମ କରି ଭାରତୀୟ ସୀମା ଅତିକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ଯବାନ ସେମାନଙ୍କୁ କଡ଼ା ଜବାବ ଦେଇ ଘଉଡ଼ାଇ ଦେଇଥିଲେ।

Related Posts