ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି ଅନସୂୟା ଜେନା। ଅନସୂୟାଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଜେଲ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହି ସମ୍ବେଦନଶୀଳ ଘଟଣାରେ କାହାର ତୃଟି ରହିଛି ଓ ଜେଲ୍‌ ସୁରକ୍ଷାରେ କେଉଁଠି ତୃଟି ରହିଗଲା ତାହା ଜାଣିବାକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି, ତାଙ୍କୁ ଜେଲ ପକ୍ଷରୁ ଏନେଇ ରିପୋର୍ଟ ମିଳିଛି। ଜେଲ୍ ପରିସରରେ ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। ଏନ୍‌ଏଚ୍‌ଆରସି ଗାଇଡ୍‌ ଲାଇନ୍ ଅନୁସାରେ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରାଯିବ। ବିଚାରଧୀନ କଏଦୀଙ୍କୁ ୱାର୍ଡରମାନେ ଜଗନ୍ତି। ତେଣୁ ସେ କେମିତି ଓ କିଭଳି ପରିସ୍ଥିତିରେ ଆତ୍ମହତ୍ୟା କରିଲେ ତାହା ତଦନ୍ତରେ ଜଣାପଡ଼ିବ। ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଅବହେଳାରୁ ହିଁ ଏକ ଜୀବନ ଚାଲିଯାଇଛି। ଏତଲା ମଧ୍ୟ ହୋଇଛି। ପୁଲିସ ଏହାର ତଦନ୍ତ କରିବ। କାର୍ଯ୍ୟରେ ବିଶୃଙ୍ଖଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେପଟେ ମମିତା ମେହେର ହତ୍ୟା ମାମଲାରେ ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଏହି ମାମଲା ବନ୍ଦ ହୋଇଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଯାହା ସବୁ ମହଲରେ ଅଲୋଚନାର ବିଷୟ ହୋଇଛି।