ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୃତ୍ୟୁକୁ ନେଇ ଉଠିଛି ବଡ ପ୍ରଶ୍ନ । ଜେଲରେ ଗୋବିନ୍ଦ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଆଉ ଏସବୁ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ସିଆଇଡି-କ୍ରାଇମବ୍ରାଞ୍ଚ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ କରିବ ସିଆଇଡି-କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ ବିରୋଧୀ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଜେଲ ଭିତରେ କିଭଳି ଜଣେ ଆତ୍ମହତ୍ୟା କଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ମନ୍ତ୍ରୀ ଓ ନେତାଙ୍କୁ ଖସାଇଦେବାକୁ ଗୋବିନ୍ଦଙ୍କ ଉପରେ ଆତ୍ମହତ୍ୟା କରିବାକୁ ଚାପ ପଡିନି ତ? ଜେଲ ଭିତରେ କଏଦୀଙ୍କ ଉପରେ ନଜର ରଖିନଥିଲେ କି ଦାୟିତ୍ୱରେ ଥିବା ଅଧିକାରୀ? ଯେହେତୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଥିଲେ ତେଣୁ ତାଙ୍କ ମୃତ୍ୟୁ ସହ ଅନେକ ଦିଗ ଉପରେ ପରଦା ଢାଙ୍କିହେଲା ବୋଲି ବିଜେପି କହିଛି ।
ସେହିଭଳି କଂଗ୍ରେସ କହିଛି, ଗୋବିନ୍ଦ ଆତ୍ମହତ୍ୟା କରି ନାହାଁନ୍ତି । ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଉଛି । ସେଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ହେବା ଜରୁରୀ ବୋଲି କଂଗ୍ରେସ କହିଛି ।
ତେବେ ବିରୋଧୀଙ୍କ ଦାବିକୁ ନେଇ ଯୁକ୍ତି ବାଢିଛନ୍ତି ବିଜେଡି ବଧାୟକ ଅମର ଶତପଥୀ । ଅମର କହିଛନ୍ତି ଯେ, ମମିତା ମେହର ହତ୍ୟା ଘଟଣା ବିଚାରାଧୀନ ରହିଛି । ଗୋବିନ୍ଦ ସାହୁ ବି ଜେଲରେ ଥିଲେ । ଆଉ ତାଙ୍କ ଆତ୍ମହତ୍ୟା କଥାକୁ ନେଇ ରାଜନୈତିକ ବୟାନ ଦେବା ଉଚିତ୍ ନୁହେଁ ।
