ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ କୋଟିପତି ଡିଏମ । ଇଡିକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କୁ ଗିରଫ କଲା ଭିଜିଲାନ୍ସ । ତେବେ ଗତ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ ଗୟା ସାନ୍ତରା । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ତେବେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସାନ୍ତରାଙ୍କ ଘରେ ରେଡ୍ କରାଯାଇଥିଲା। ତେବେ ଏହି ରେଡ ସମୟରେ ଗୟା ସାନ୍ତରାଙ୍କ ଭୁବନେଶ୍ୱର ସ୍ଥିତ ଘରୁ ୧ କୋଟି ୬ ଲକ୍ଷ ୪୪ ହଜାର ନଗଦ ଟଙ୍କା ମିଳିଥିବା ବେଳେ ବିଭିନ୍ନ ଆକାଉଣ୍ଟରେ ୪ କୋଟି ୧୯ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା ।
କେବଳ ଏତିକି ନୁହେଁ, ଗୟା ସାନ୍ତରାଙ୍କ ଘରୁ ସୁନା ଗହଣା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ୧ କିଲୋ ୮୩ ଗ୍ରାମ ସୁନା ଓ ୬ କେଜି ୭୫୦ ଗ୍ରାମ ରୁପା ଜବତ ହୋଇଛି । ଏହା ଭିତରେ ରହିଛି ରୁପା ଗ୍ଲାସ, ଗିନା, ଥାଳି ଭଳି ବହୁ ସାମଗ୍ରୀ । ଏହାସହ କୁବେର ବାବୁଙ୍କ ନାଁରେ ୧୩ଟି ପ୍ଲଟ ଓ ଆଲିସାନ କୋଠା ରହିଛି । ତେବେ ଗୟା ସାନ୍ତରା କୋଟି କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇ ପଚରାଉଚରା କରାଯାଇଥିଲା । ପରେ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି ।