ଓଡ଼ିଶାରେ ରୋଗୀ ଚିକିତ୍ସା କରୁଥିବା ଅଧା ଡାକ୍ତର ନକଲି!, ଯାଞ୍ଚ ପାଇଁ କଡା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ରୋଗୀ ଚିକିତ୍ସା କରୁଥିବା ପାଖାପାଖି ଅଧା ବ୍ୟକ୍ତିଙ୍କ ଉପଯୁକ୍ତ ଡିଗ୍ରି ବା ଶିକ୍ଷାଗତ ଯୋଗ୍ୟତା ନାହିଁ । ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୫୧ ପ୍ରତିଶତଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି। ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ଉଦ୍‌ବେଗଜନକ ତଥ୍ୟ ସାମନାକୁ ଆସିଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏସଂପର୍କରେ ସୂଚନା ଦେବାପରେ ହାଇକୋର୍ଟ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ରାଜ୍ୟରେ ଡାକ୍ତରୀ ପେସାରେ ଥିବା ସବୁ ଡାକ୍ତରଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ହାଇକୋର୍ଟ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଏହି ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ କଣ ବ୍ୟବସ୍ଥା ବା ନିୟମ କରାଯିବ, କେତେ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ ହେବ, ଉପଯୁକ୍ତ ଡିଗ୍ରି/ଯୋଗ୍ୟତା ନଥାଇ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବା ନିଯୁକ୍ତି ହାସଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବୁଧବାର ଦିନ ମାମଲାର ଶୁଣାଣି ସମୟରେ ସ୍ବାସ୍ଥ୍ୟ ବିଭାଗ ୨୦୨୨ ଅକ୍ଟୋବର ୧୮ରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ଜଣେ ବ୍ୟକ୍ତିଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ତାଙ୍କୁ ଡାକ୍ତର ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଏହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନାହିଁ। ରାଜ୍ୟରେ ବହୁ ଲୋକ ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ମାତ୍ର ଗୋଟିଏ ମାମଲାରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ ବୋଲି ହାଇକୋର୍ଟ ଆଜି କହିବା ସହିତ ସବୁ ଡାକ୍ତରଙ୍କ ଯୋଗ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଯେଉଁ ଗୋଟିଏ ମାମଲାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବିଚାରାଧୀନ ରହିଛି ତାହା ୩ ମାସ ଭିତରେ ଶେଷ କରିବା ପାଇଁ ହାଇକୋର୍ଟ କହିଛନ୍ତି। ଏଥିସହିତ ଏହି ମାମଲାରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂପର୍କିତ ଆକ୍ସନ ଟେକେନ ‌ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ରାଜ୍ୟରେ ରୋଗୀ ଚିକିତ୍ସା କରୁଥିବା କେତେକ ଡାକ୍ତରଙ୍କ ବିଶେଷଜ୍ଞ ଭାବେ କାର୍ଯ୍ୟ କରିବାକୁ ଆବଶ୍ୟକ ଡିଗ୍ରି ନଥିବା ବେଳେ ସେମାନେ ନିଜକୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଦର୍ଶାଇ ରୋଗୀ ଚିକିତ୍ସା କରୁଥିବା ଆଜି ଶୁଣାଣି ସମୟରେ ଦର୍ଶାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ଏମବିବିଏସ ଡିଗ୍ରି ନଥିବା ବ୍ୟକ୍ତି ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏହା ଏକ ଗୁରୁତ୍ବପୂର୍ଣ୍ଣ ତ୍ରୁଟି ଓ ଏଥି ପାଇଁ ଏପରି ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ଚୟନ କମିଟି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହାଇକୋର୍ଟ ୨୦୨୨, ଅଗଷ୍ଟ ୨୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜାନୁୟାରୀ ୧୨, ୨୦୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Related Posts