ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାର ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି ଗୁରୁବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ସିସିଏଫ୍ ମନୋଜ ନାୟାରଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ହାତୀଙ୍କ ପାଇଁ ୧୪ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ନେଇ ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ଏଡାଇବା ପାଇଁ ‘ଜନ ସୁରକ୍ଷା ଗଜରକ୍ଷା ଯୋଜନା’ ଲାଗୁ କରାଯାଇଛି। ଯେଉଁଥିରେ ୧୧୭୭ଟି ଗ୍ରାମ ପାଇଁ ୫୪୫୭ ଗଜସାଥୀ ରହିଛନ୍ତି। ଏହାଛଡା ବିଦ୍ୟୁତ୍ ଜନିତ ହାତୀମୃତ୍ୟୁ ରୋକିବା ପାଇଁ ୨୩୫୪ କିମି ଅଞ୍ଚଳରେ ସୁରକ୍ଷା କେବୁଲ୍ ଲଗାଯାଇଛି। ୧୯ଟି ଡିଭିଜନରେ ୩୨ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢେଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ହାତୀଙ୍କ ଚଳପ୍ରଚଳ ଅଞ୍ଚଳରେ ବର୍ତ୍ତମାନ ଯାଏଁ ୩୪ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ ୨୬ଟିର ପୁନରୁଦ୍ଧାର କରାଯାଇଛି। ଏହାସହ ୪୧ଟି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ହାତୀଙ୍କ ଖାଦ୍ୟ ପାଇଁ ଲକ୍ଷେ ବାଉଁଶ ଚାରା ରୋପଣ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସିସିଫ। ତେବେ ମାମଲାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ ୧୮ ତାରିଖରେ ହେବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ପୂର୍ବେ ଏକ ଦନ୍ତା ଶିକାର ହୋଇଥିବା ବେଳେ ଏହାକୁ ଲୁଚାଇବାକୁ କିଛି ବନ କର୍ମଚାରୀ ଗତ ୭ ତାରିଖରେ ହାତୀଟିକୁ ପୋଡ଼ି ଦେଇଥିଲେ। ଏପରିକି ପ୍ରମାଣ ନଷ୍ଟ କରିବାକୁ ଅବଶିଷ୍ଟାଂଶକୁ ସେମାନେ ନଦୀରେ ଭସାଇ ଦେଇଥିଲେ। ଏହି ସମୟରେ ସେଠାରେ ଅସ୍ଥାୟୀ ବନ କର୍ମଚାରୀ ତୁରାମ ଉପସ୍ଥିତ ଥିବା ବେଳେ ଏହାର କିଛି ଫଟୋ ସେ ଉପରିସ୍ଥ ଅଧିକାରୀଙ୍କୁ ପଠାଇଥିଲେ। ଏହାପରେ ତନାଘନା ଆରମ୍ଭ ହୋଇ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ଏହି ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନା ପରେ ୩ ବନ କର୍ମଚାରୀଙ୍କୁ ବନବିଭାଗ ଗିରଫ କରି ଜେଲ୍ ପଠାଯାଇଛି। ତେବେ ଏସବୁ ଭିତରେ ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିବା ତୁରାମ ସନ୍ଦେହଜନକ ଭାବେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଲା। ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଗଲା ଓ ସେଠାରେ ତାଙ୍କର ମୃତ୍ୟୁ ହେଲା। ବର୍ତ୍ତମାନ ତୁରାମ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
