ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ କମିବ । ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ବଢ଼ିବା ସମ୍ଭାବନା ଥିବାରୁ ଶୀତ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସାମାନ୍ୟ ବଢ଼ିଛି । କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ ଚାନ୍ଦବାଲିରେ ରାତି ତାପମାତ୍ରା ବଢ଼ିଛି । ଶନିବାରଠାରୁ ଏହା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ଶୁକ୍ରବାର ଅନୁଗୁଳ, କଟକ, ଢେଙ୍କାନାଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କଳାହାଣ୍ଡିରେ କୁହୁଡ଼ି ଅନୁଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଶନିବାର ଓ ରବିବାର ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଢେଙ୍କାନାଳରେ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ ହୋଇଛି ।

ଗୁରୁବାର ଜି. ଉଦୟଗିରି, ସିମିଳିଗୁଡ଼ା, କିରେଇ, ଫୁଲବାଣୀ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି । ସିମିଳିଗୁଡ଼ାରେ ୬.୫, କିରେଇରେ ୭.୮, ଫୁଲବାଣୀରେ ୮, ସୁନ୍ଦରଗଡ଼ରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।