ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା। ଦୁଇ ଦିନ ମଧ୍ୟରେ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ଏବେ ସାରା ବିଶ୍ବରେ ହଟଚମଟ ସୃଷ୍ଟି ହୋଇଛି । ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ(୬୧) ମୃତ୍ୟୁ ପରେ ୨୪ ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ (୬୫) ମୃତ୍ୟୁ ହୋଇଥିଲା । ତେବେ ଏମାନଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ସାଂସଦ ମନୀଷ ତିୱାରୀ ପ୍ରଶ୍ନ ଉଠାଇଛନ୍ତି ।

ମନୀଷ ତିୱାରୀ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇବା ସହ ଟ୍ବିଟରରେ ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଗ କରିଛନ୍ତି । ସେ ପ୍ରଶ୍ନ ଉଠାଇଛନ୍ତି ଯେ, “ଓଡିଶାର ରାୟଗଡାରେ ମୃତ୍ୟୁ ହୋଇଥିବା ଦୁଇ ଋଷୀୟ ପର୍ଯ୍ୟଟକ ଖ୍ରୀଷ୍ଟିଆନ ଅଟନ୍ତି । ତେବେ ଓଡିଶାରେ ମୃତ୍ୟୁ ପରେ ମୃତଦେହ ଋଷିଆକୁ ନପଠାଇ କିଭଳି ଭାବେ ଓଡିଶାରେ ସଂସ୍କାର କରାଗଲା? ଏବଂ ମୃତ୍ୟୁବରଣ କରୁଥିବା ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟିଆନ ଧର୍ମର ହୋଇଥିବା ବେଳେ କିଭଳି ତାଙ୍କ ମୃତଦେହକୁ ପୋଡାଗଲା ? ଯଦି ଏସବୁ ଆଇନ ସମ୍ମତ ତେବେ ମୁଁ କେବେ ଆଇନ ପାଠ ପଢ଼ିନାହିଁ ।”

ତେବେ ପ୍ରକାଶଯୋଗ୍ୟ ଯେ, ଯଦି ଗୋଟିଏ ଦେଶର ନାଗରିକଙ୍କର ଅନ୍ୟ ଦେଶରେ ମୃତ୍ୟୁ ହୁଏ ତେବେ ମୃତଦେହକୁ ପ୍ରଶାସନ ତରଫରୁ ନିଜ ଦେଶରୁ ଫେରାଇ ଦିଆଯାଇଥାଏ । ଦ୍ବିତୀୟ କଥା ହେଲା ଖ୍ରୀଷ୍ଟଧର୍ମୀମାନଙ୍କର ମୃତ୍ୟୁ ପରେ ସେମାନଙ୍କୁ କବର ଦିଆଯାଇଥାଏ । କିନ୍ତୁ ଏହି ଋଷୀୟ ପର୍ଯ୍ୟଟକମାନଙ୍କୁ ଋଷ ନପଠାଇ ଓଡିଶାରେ ସଂସ୍କାର କରାଗଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ । ଏହା ଯଦି ଅସ୍ବାଭାବିକ ନୁହେଁ ତାହାଲେ ମୁଁ ଭାବୁଛି ମୁଁ କେବେ ଆଇନ ସ୍କୁଲ ଯାଇନାହିଁ ବୋଲି ମନୀଷ ତିୱାରୀ କହିଛନ୍ତି ।

ସୂଚନା ଅନୁସାରେ ଗତ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂହ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଘାତଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ଏହାପରେ ତାଙ୍କ ସହ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । ୨୪ ତାରିଖ ଦିନ ସେ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି ।

Related Posts