ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାରେ ତଦନ୍ତ ଚଳାଇଛି ଯୋଡ଼ା ପୋଲିସ୍ । ଆଜି ଶୁଭଶ୍ରୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ଟାଟା ଷ୍ଟିଲ ମେଡିକାଲର ଶବ ଗୃହ ନିକଟରେ ମୃତଦେହର ଇନକ୍ୱେଷ୍ଟ କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଛି ।ପି ଏମ୍ ସରିବା ପରେ ମୃତଦେହକୁ ରାଉରକେଲାସ୍ଥିତ ତାଙ୍କ ଘରକୁ ନିଆଯିବ ।

ସେପଟେ ପୋଲିସ ଶୁଭଶ୍ରୀ ରହୁଥିବା ଘରକୁ ଯାଇ ସେଠାରୁ ତାଙ୍କ ମୋବାଇଲ ଫୋନ, ମେଡିସିନ ବୋତଲ ସହ କିଛି କାଗଜପତ୍ର ଜବତ କରି ଅନୁସନ୍ଧାନ ଜାରି ରଖିଛି । ଶୁଭଶ୍ରୀଙ୍କ ଏଭଳି ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ । ଶୁଭଶ୍ରୀଙ୍କ ଫୋନର କଲ ରେକର୍ଡ ଯାଞ୍ଚ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା ଚଳାଇଛି ପୋଲିସ । କର୍ମଚାରୀମାନଙ୍କ କହିବା ଅସୁସାରେ, ୩୧ ତାରିଖ ରାତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୭ ଜଣ ଏକାଠି ମିଶି ଜିରୋ ନାଇଟ ସେଲିବ୍ରସନ୍ କରିଥିଲେ । ସେହି କାର୍ଯ୍ୟକ୍ରମରେ ନୃତ୍ୟ ଗୀତରେ ଝୁମିଥିଲେ ଶୁଭଶ୍ରୀ । ଶୁଭଶ୍ରୀ ନିଜେ ହିଁ ସବୁ ଆୟୋଜନ କରିଥିଲେ । ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ ମଧ୍ୟ ବାନାଇଥିଲେ । କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ । ରାତି ଦେଢ଼ଟା ପର୍ଯ୍ୟନ୍ତ ସେଲିବ୍ରେସନ ମନାଇବା ପରେ ଶୁଭଶ୍ରୀ ଉପର ମହଲାରେ ଥିବା ନିଜ ରୁମକୁ ଚାଲିଯାଇଥିଲେ । ତେବେ ନୂଆ ବର୍ଷର ନୂଆ ସକାଳ ଦେଖିପାରି ନଥିଲେ ଶୁଭଶ୍ରୀ । ସକାଳ ୭ ଟାରେ ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା କବାଟ ବାଡ଼େଇବାରୁ ଶୁଭଶ୍ରୀ କବାଟ ଖୋଲି ନଥିଲେ । ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଦୁବରାଜ ମହାନ୍ତ ଡାକ୍ତର ମ୍ୟାଡମଙ୍କୁ ଫୋନ କରିଥିଲେ କିନ୍ତୁ, ସେ ଫୋନ ଉଠାଇ ନଥିଲେ । ବାରମ୍ଵାର କବାଟ ବାଡ଼େଇବା ପରେ ମଧ୍ୟ କିଛି ଉତ୍ତର ନ ମିଳିବାରୁ ଏନେଇ ପୋଲିସକୁ ଖବର ଦେଇଥିଲେ । ଶେଷରେ ସନ୍ଧ୍ୟା ସମୟରେ ପୋଲିସ୍ କବାଟ ତାଡ଼ି ଭିତରକୁ ପଶିବା ପରେ ବିଛଣା ଉପରେ ଶୁଭଶ୍ରୀ ପଡ଼ି ରହିଥିବାର ଦେଖିବାକୁ ପାଇଲେ । ତେବେ ସେତେବେଳକୁ ତାଙ୍କର ପ୍ରାୟ ମୃତ୍ୟୁ ଘଟିସାରିଥିଲା । ତେବେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଏହି ଘଟଣାରେ ଆଉ ଏକ ତଥ୍ୟ ଏବେ ପଦାକୁ ଆସିଛି । ଗତ ୨୦ ତାରିଖରେ ଶୁଭଶ୍ରୀ ଜନୈକ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ସେ ଯୋଡ଼ା ଥାନାରେ ଏତଲା ଦେଇଥିଲେ। ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସହିତ ରୁଗୁଡ଼ିଠାରେ ଥିବା ଏକ ଘରୋଇ ଖଣି କମ୍ପାନୀର ଡାକ୍ତର ଦିବ୍ୟରଞ୍ଜନ ମାଝୀ ଗତ ୬ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦୁଇଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ତେବେ ସେ ପରେ ବିବାହ ପାଇଁ ମନା କରିଦେଇଥିଲେ । ଯାହା ଫଳରେ ଏନେଇ ସେ ଯୋଡ଼ା ଥାନାରେ ଏତଲା ଦେଇଥିଲେ । ଏହାକୁ ନେଇ ଯୋଡ଼ା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା ଏବଂ ସେହିଦିନ ବଡ଼ବିଲ୍ ଜେ ଏମ୍ ଏଫ୍ ସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ ମଧ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ଶୁଭଶ୍ରୀଙ୍କ ପରିବାର ଲୋକେ ମୁହଁ ଖୋଲୁ ନଥିବା ବେଳେ, ମୃତ୍ୟୁ ପଛର ରହସ୍ୟ ଘନେଇବାରେ ଲାଗିଛି । ଏହି ଘଟଣାରେ କୌଣସି ସୁଇସାଇଟ ନୋଟ୍ ମିଳି ନଥିବା ବେଳେ ମୃତ ଦେହରେ ମଧ୍ୟ ସେଭଳି କିଛି ଚିହ୍ନ ଦେଖିବାକୁ ମିଳିନାହିଁ । ତେବେ ଏହା ଏକ ସ୍ୱାଭାବିକ ମୃତ୍ୟୁ ନା ଏହାପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।