ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଫିଲ୍ମ ପ୍ରଯୋଜକ ଆଳୟ ମହାନ୍ତିଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରର କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ତେବେ ସାମ୍ବାଦିକତା ସହ ଚଳଚ୍ଚିତ୍ର ଓ ସମାଜସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଆଳୟ ମହାନ୍ତି। ‘ଶୂନ୍ୟ ସ୍ୱରୂପ’, ‘ଆଶା’ ଓ ‘ଭୁଲ୍‌ ବୁଝିବନି’ ଭଳି ୩ଟି ଫିଲ୍ମର ସେ ପ୍ରଯୋଜକ ଥିଲେ। ସେଥିରୁ ‘ଶୂନ୍ୟ ସ୍ୱରୂପ’ ଓ ‘ଆଶା’ ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। ସେ ଟେଲିଭିଜିନ ଧାରାବାହିକ ‘ମରିଚିକା’ ଓ ‘ବାଲିଘର’ର ମଧ୍ୟ ପ୍ରଯୋଜକ ଥିଲେ।

ସେହିପରି ସ୍ୱର୍ଗତ ଆଳୟ ମହାନ୍ତି ‘ହୀରାଖଣ୍ଡ’ରୁ ତାଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ମୃତ୍ୟୁ ବେଳକୁ ସେ ‘ଅମୃତ ସନ୍ଦେଶ’ ନାମକ ହିନ୍ଦୀ ପତ୍ରିକାର ରାଜ୍ୟ ପ୍ରତିନିଧି ଥିଲେ। ଏହା ସହିତ ‘ସତ୍ୟଧାରା’ ନାମକ ଓଡ଼ିଆ ସାପ୍ତାହିକର ସଂପାଦନା କରୁଥିଲେ।

ଆଳୟ ମହାନ୍ତିଙ୍କ ମରଶରୀରକୁ ହସ୍ପିଟାଲରୁ ତାଙ୍କ ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ବହୁ ଗଣମାଧ୍ୟମ ପ୍ରତିନିଧି ତଥା ଅନ୍ୟମାନେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ।