ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): କଟକ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଫିସ୍ ଆଗରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣି ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ଜଣେ ଯୁବତୀ। ସାମ୍ବାଦିକ ତାଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ କରିଦେବେ କହି ବ୍ଲାକମେଲ୍‌ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ। ତେବେ ଏହି ଯୁବତୀଙ୍କ ଘର କେନ୍ଦ୍ରାପଡା ରାଜକନିକା ଅଞ୍ଚଳରେ ବୋଲି ଜଣାଯାଇଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥ ଯୁବତୀଙ୍କ ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ୭ ବର୍ଷ ହେବ ସମ୍ପର୍କ ରଖିଥିଲେ। ପରେ ସରୋଜ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ଯୁବତୀ ଜଣକ ତାଙ୍କ ସହ ମିଳାମିଶା ବନ୍ଦ କରି ଦେଇଥିଲେ। ତା’ ପରେ ସରୋଜ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କ ପାଖରେ ଥିବା ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ। ଏନେଇ ଯୁବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ଯୁବତୀଙ୍କ କେସକୁ ରେଜିଷ୍ଟର କରି ନଥିଲା। ଓଲଟା ତାଙ୍କୁ ଥାନାରେ ମାଡ଼ ମରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ପଟ୍ଟାମୁଣ୍ଡାଇ ପୁଲିସ ପକ୍ଷରୁ ତାଙ୍କୁ କୌଣସି ସହାୟତା କରାଯାଇ ନଥିଲା ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ ଯୁବତୀ ଜଣକ ପୂର୍ବରୁ ଡିଜିପିଙ୍କୁ ଭେଟି ଦରଖାସ୍ତ ଦେଇଥିଲେ। ହେଲେ ସେଠାରେ ବି ତାଙ୍କୁ ନ୍ୟାୟ ମିଳି ନ ଥିଲା। ତେଣୁ ଆଜି ଯୁବତୀ ଜଣକ ଡିଜିପି ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଥିବା ପୁଲିସ ଅଧିକାରୀମାନେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ଏହି ମାମଲାରେ ଦୀର୍ଘ ଦିନ ଧରି ଫେରାର ଅଛନ୍ତି ସରୋଜ। ତାଙ୍କ ନାଁରେ ୱାଣ୍ଟେଣ୍ଡ ପୋଷ୍ଟର ଲଗାଇ ତଦନ୍ତ ଚାଲିଛି। ଏନେଇ କେନ୍ଦ୍ରାପଡ଼ା ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନି।