ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ନିକଟରେ ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସତର୍କ ଅଧିକ ହୋଇଛି। ଏହା ପରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଜମ୍ମୁ- କଶ୍ମୀରକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି। ଏହା ଅଧୀନରେ ପୁଞ୍ଛ ଏବଂ ରଜୌରୀରେ ମୁତୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ର ୧୮୦୦ ଅତିରିକ୍ତ ଯବାନ ନିୟୋଜିତ ହେବେ, ସେଥିମଧ୍ୟରୁ ୧୦୦୦ କର୍ମଚାରୀଙ୍କୁ ଦିଲ୍ଲୀରୁ ପଠାଯାଇଛି।
ଏହା ଭିତରେ,ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ କିଛି ଘଣ୍ଟା ଭିତରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ଏହା ବିରୋଧରେ ସୀମାବର୍ତ୍ତୀ ସହର ପୁଞ୍ଛ ଲଗାତାର ଦ୍ବିତୀୟ ଦିନ ବନ୍ଦ ଥଲା। ସେଭଳି ପୁରା ଜମ୍ମୁରେ ଏହି ହତ୍ୟା ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ବନ୍ଦକୁ ଦେଖି ସୀମାବର୍ତ୍ତି ଜିଲ୍ଲା ପୁଞ୍ଛ ଓ ରଜୌରୀରେ ସୁରକ୍ଷା ବଢାଇ ଦିଆଯାଇଛି।





