ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ରାଜରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ଏସଆଇଙ୍କୁ କିଛି ଅସାମାଜିକ ଯୁବକ ଗାଡ଼ି ଚଢ଼ାଇଦେବାକୁ ଉଦ୍ୟମ କଲେ। ପ୍ରତିବାଦ କରିବାରୁ ଖଣ୍ଡା ଦେଖାଇ ଗୋଡ଼ାଇଲେ। ରାଜଧାନୀ ଛାତି ଉପରେ ସହିଦନଗର ଥାନାଠାରୁ ମାତ୍ର କିଛି ଦୂର ସାଇନ୍ସପାର୍କ ରୋଡ୍ରେ ମହିଳା ପୁଲିସଙ୍କୁ ଏଭଳି ହତ୍ୟା ଉଦ୍ୟମ ଭଳି ଛାତିଥରା ଘଟଣାରୁ ରାଜଧାନୀ ରାତି କେତେ ସୁରକ୍ଷିତ ତାହା ସ୍ପଷ୍ଟ ବାରିହେଉଛି। ଏହା ପୋଲିସକୁ ଅପରାଧୀଙ୍କ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ବୋଲି ଜଣା ପଡ଼ୁଛି।
ଆଗକୁ ହକି ବିଶ୍ବକପ ଥିବାରୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ରାଜ୍ୟକୁ ଆସିବେ। ଖୋଦ୍ ପୋଲିସ ଏଭଳି ଘଟଣାର ସମ୍ମୁଖୀନ ହେବାପରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏହାସହିତ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏହି ଘଟଣାରେ ବୁଧବାର ସହିଦନଗର ଥାନା ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଏକ କାର୍ ଜବତ କରିଛି।
ସୂଚନା ମୁତାବକ, ନୂଆବର୍ଷ ରାତିରେ ମହିଳା ଥାନା ପୁଲିସ୍ ଏସ୍ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି ନିଜ କାର୍ରେ ଘରକୁ ଫେରୁଥିଲେ। ଆଚାର୍ଯ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍ ତାଙ୍କ କାର୍ ସାମ୍ନାକୁ ମାଡ଼ିଆସିଥିଲା। କାର୍ଟି ଅଚାନକ ତାଙ୍କ ଆଗକୁ ମାଡ଼ିଆସିବାରୁ ଭୟରେ ନିଜ କାର୍କୁ ରାସ୍ତା କଡ଼କୁ ନେଇଯାଇଥିଲେ। ଯଦିଓ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ ତଥାପି ତାଙ୍କ ମନରୁ ଭୟ ଯାଇନଥିଲା। କିଛି ସମୟ ପାଇଁ ସେ ଗାଡ଼ିରେ ବସି ରହିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ। କାର୍ରେ ବସିବେ କ’ଣ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ଭୟରେ ସେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଆଡ଼କୁ କାର୍ ନେଇଯାଇଥିଲେ।
ଦୁର୍ବୃତ୍ତ ଏତିକିରେ ଅଟକି ନଥିଲେ। ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳି ଆଡ଼କୁ ଯାଇଥିଲେ। ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ କେସ୍ ନଂ- ୩/୨୦୨୩ ଆଇପିସି ଧାରା ୩୪୧, ୨୯୪, ୫୦୬, ୩୪ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଖପାଖ ସିସିଟିଭି ଫୁଟେଜ୍ ଯାଞ୍ଚ କରି କେତେକଙ୍କୁ ଚିହ୍ନଟ କରିଥିଲା। ତେବେ ବୁଧବାର ସନ୍ଧ୍ୟାରେ ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ଜଣଙ୍କୁ କାବୁ କରିବା ସହ କାର୍ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରିରଖିଛି।
