ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଜାନୁୟାରୀ ୧୩ରୁ ରାଜ୍ୟରେ ଖେଳାଯିବ ହକି ବିଶ୍ବକପ୍। ମଝିରେ ଆଉ ଦିନ କେଇଟା ବାକି। ତେବେ କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବିଶ୍ବକପ୍ ପାଇଁ ପ୍ରସ୍ତୁତି କରିଛି। ଭୁବନେଶ୍ବର, କଟକ, ରାଉରକେଲାର ସମସ୍ତ ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷାର ବ୍ୟବସ୍ଥା ରହିବ। ଏହାସହ ବିଶ୍ବକପ୍ ସମୟରେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରାଯାଇଛି। ଅତି ଜରୁରୀ ପରିସ୍ଥିତିରେ ଛୁଟି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ହକି ବିଶ୍ବକପ୍‌ ନେଇ ଗତ ଡିସେମ୍ବର ୩୦ତାରିଖରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ କୋଭିଡ ଟେଷ୍ଟିଂ, ଶଯ୍ୟା, ଆମ୍ବୁଲାନ୍‌ସ, ଔଷଧ ଓ ମାନବ ସମ୍ବଳ ଉପରେ ଗୁରୁତ୍ବ ଦିଆଯାଇଥିଲା। ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ଖେଳା ଯାଉଥିବାରୁ ସୁନ୍ଦରଗଡ଼ଠାରୁ ରାଉରକେଲା ଓ ଝାରସୁଗୁଡ଼ାରୁ ରାଉରକେଲା ପର୍ଯ୍ୟନ୍ତ ସ୍ବାସ୍ଥ୍ୟାନୁଷ୍ଠାନକୁ ସୁଦୃଢ଼ କରିବା ଉପରେ ନିଷ୍ପତ୍ତି ହୋଇଛି। ଏସବୁ ସ୍ଥାନର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଟ୍ରମା କେୟାର ବ୍ୟବସ୍ଥା ପ୍ରସ୍ତୁତ ରଖାଯିବାକୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସିଡିଏମ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ପରାମର୍ଶରେ ଖୋର୍ଦ୍ଧା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ସିଡିଏମ୍‌ଓ ମାନବ ସମ୍ବଳର ବ୍ୟବସ୍ଥା କରିବେ। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଆନ୍ତଃଜିଲ୍ଲା ମାନବ ସମ୍ବଳର ନିୟୋଜିତ କରିବାକୁ କୁହାଯାଇଛି। ସୁନ୍ଦରଗଡ଼, ବୁର୍ଲା, ଆରଜିଏଚ୍‌ରେ ଟ୍ରମା କେୟାର ପରିଚାଳନା ପାଇଁ ଆବଶ୍ୟକ ମାନବ ସମ୍ବଳର ବ୍ୟବସ୍ଥାର ତଦାରଖ ଡିଏମ୍‌ଇଟି କରିବେ।

କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ରେ ୫୦ଟି ଲେଖାଏଁ ଶଯ୍ୟା, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ବରସ୍ଥିତ ୟୁନିଟ୍‌-୪ରେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ଟି ଲେଖାଏଁ ଶଯ୍ୟା ଓ ପଟିଆ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦ଟି ଶଯ୍ୟା ରହିବ। ମ୍ୟାଚ୍ ସମୟରେ ୪ ଜିଲ୍ଲାର ସମସ୍ତ ୟୁପିଏଚ୍‌ସି ଓ ୟୁସିଏଚ୍‌ସିକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। କଳିଙ୍ଗ ହସ୍ପିଟାଲ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲ ଓ ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ଆରଜିଏଚ୍‌ ଓ ସୁନ୍ଦରଗଡ଼ରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ବା ଫାଷ୍ଟ ଏଡ୍‌ ବ୍ୟବସ୍ଥା ରହିବ। ଦର୍ଶକଙ୍କ ଭିଡ଼ ଓ ଟ୍ରମା ମାମଲାକୁ ଦେଖି ୪ ଜିଲ୍ଲାରେ ଥିବା ୧୦୮ ଆମ୍ବୁଲାନ୍‌ସ ଓ ଅନ୍ୟ ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯିବ। ଝାରସୁଗୁଡ଼ା ବିମାନ ବନ୍ଦରରେ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ କୁହାଯାଇଛି। ଏହାବାଦ୍ କଟକ, ଭୁବନେଶ୍ବର, ରାଉରକେଲା ଓ ଝାରସୁଗୁଡ଼ାରେ ହକି ବିଶ୍ବକପ୍‌ରେ ସ୍ବାସ୍ଥ୍ୟ କ୍ଷେତ୍ରର ତଦାରଖ ପାଇଁ ନୋଡାଲ ଅଧିକାରୀ ଚୟନ ପାଇଁ ସ୍ବାସ୍ଥ୍ୟ ନିର୍ଦେଶକ ଓ ଡିଏମ୍‌ଇଟିଙ୍କୁ ଦାୟିତ୍ବ ଦିଆଯାଇଛି। ହକି ବିଶ୍ବକପ୍‌ର ଉଦ୍‌ଘାଟନ ଓ ଉଦ୍‌ଯାପନୀ ମ୍ୟାଚ୍‌ ସହିତ ଭାରତ ଖେଳୁଥିବା ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିବା ପାଇଁ ମେଡିକାଲ କଲେଜ, ହସ୍ପିଟାଲ ଓ ନର୍ସିଂ କଲେଜରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ସ୍ବାସ୍ଥ୍ୟ ବିକାଶ ସମିତି କିମ୍ବା ଜରୁରୀକାଳୀନ ପାଣ୍ଠିରୁ ଭରଣା କରାଯିବ ବୋଲି କୁହାଯାଇଛି।