ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି ୫ଜି ସେବା। କେନ୍ଦ୍ର ରେଳ ଏବଂ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଅଡିଟୋରିୟମ ରେ ଏହାକୁ ଉଦଘାଟନ କରିଛନ୍ତି। ଏହାସହିତ ରାଜ୍ୟରେ ୧୦୦ଟି ମୋବାଇଲ ଟାୱାରର ମଧ୍ୟ ଉଦଘାଟନ କରାଯାଇଛି। ତେବେ ଏହି ୫ଜି ଶୁଭାରମ୍ଭକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ। ଦଳପକ୍ଷରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରେସମିଟ୍ କରି କହିଛନ୍ତି ଯେ, ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ଟି ମଡେଲ ଅଛି। ଏହାର ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି, ଯାହା ଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଇଛି। କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ କରୁଛି, ହେଲେ ଏହା ପ୍ରଚାର ସର୍ବସ୍ବ ହୋଇ ନ ରହୁ।ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ। କିନ୍ତୁ ଜାମ୍ମୁ କାଶ୍ମୀରରେ ଅଧିକ ଅଛି। ଆମେ ଏଥିରେ ବହୁ ପଛରେ ଓ ଅବହେଳିତ। ଗାଁରେ ଏହା ୬୨ ପ୍ରତିଶତ। ଏହି ପରିପ୍ରେକ୍ଷୀରେ କେମିତି ୫ଜି ପହଞ୍ଚିବ।
ଅମର ଆହୁରି କହିଛନ୍ତି, ୬୨୭୮ ଗାଁରେ ଇଣ୍ଟରନେଟ୍ ସୁବିଧା ନାହିଁ। ସଂସଦରେ ଉତ୍ତରରେ ଆସିଥିଲା ଓଡ଼ିଶାରେ ୨୫୦୦ ଟାୱାର୍ ଦରକାର। ହେଲେ ୪୮୮ ଟାୱାର୍ ପାଇଁ ଅନୁମୋଦନ ହୋଇଛି। ବାକି ୨ ହଜାର ହୋଇନି। ଭାରତ ନେଟ୍ କାମ କେବେ ସରିବ, ସେନେଇ ତଥ୍ୟ ଦେଇ ନାହାନ୍ତି କେନ୍ଦ୍ର ସରକା। ଅନଲାଇନ୍ ଶିକ୍ଷା କିପରି ବାଧାପ୍ରାପ୍ତ ହୋଇଥିଲା, ତାହା ସମସ୍ତେ ଜାଣନ୍ତି। ଏପରି ସ୍ଥିତିରେ ୫ଜି ସେବା କେମିତି ପହଞ୍ଚିବ। ଦିଲ୍ଲୀ ସଂସଦ ପାଖରେ ମୁଁ ଏହି ସୁବିଧା ପାଇ ପାରୁ ନାହିଁ. ଓଡ଼ିଶାର ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ। ଆମର ଏଥିରେ ସହଯୋଗ କରିବାରେ କିଛି ଅସୁବିଧା ନାହିଁ. ହେଲେ ଗାଁକୁ କେମିତି ସୁବିଧା ନାହିଁ, କେବେ ପହଞ୍ଚିବ, ତା ଜବାବ ନାହିଁ. ଏପରିକି ସଂସଦରେ ବି ନାହିଁ। ନକ୍ସଲ ଉପଦ୍ରଵ ଅଞ୍ଚଳରେ ଏହା କରିବା ଦରକାର। ଓଡ଼ିଶାକୁ ଭଲ ଇଣ୍ଟରନେଟ ସୁବିଧା ଦରକାର। ଆଦିବାସୀ ଅଞ୍ଚଳକୁ ଭଲ ଇଣ୍ଟରନେଟ ଦରକାର। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି।
