ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ପୁରୁଷ ହକି ବିଶ୍ଵ କପ୍ ପାଇଁ ଚଳଚଞ୍ଚଳ ଇସ୍ପାତନଗରୀ ରାଉରକେଲା। ନୂଆ ରୂପରେ ସଜେଇ ହୋଇଛି ପୂରା ସହର। ଏହି କ୍ରମରେ ବିଶ୍ଵ କପ୍ ପାଇଁ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ ହୋଇଛି। ଗୁରୁବାର ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡିୟମ ସହ ୨୨୫ କୋଠରୀ ବିଶିଷ୍ଟ ବିଶ୍ଵ କପ୍ ଭିଲେଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଷ୍ଟାଡିୟମର କ୍ଷମତା ହେଉଛି ୨୦ ହଜାର। ହକି ବିଶ୍ଵ କପ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରୀଷ୍ଣା ରହିଥିଲେ। ବିମାନ ବନ୍ଦରରୁ ସିଧାସଳଖ ବିପିୟୁଟି ପରିସରକୁ ଯାଇ ସେଠାରେ ନିର୍ମାଣ ହୋଇଥିବା ୱାର୍ଲଡ କପ୍ ଭିଲେଜକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ଭାରତୀୟ ହକି ଟିମକୁ ଭେଟି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ ୱାର୍ଲଡ କପ୍ ଭିଲେଜ୍ରୁ ବାହାରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ମେଡ଼ିକାଲ କଲେଜ, ରାଉରକେଲାରେ ମୋ ବସ୍ ସେବା, ରାଉରକେଲା ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ପରେ ଦେଶର ବୃହତ୍ତମ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଭରପୂର ଦର୍ଶକଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଯେ, ପୁରୁଷ ହକି ବିଶ୍ଵ କପ୍ ୨୦୨୩ ଓଡିଶାର ଦୁଇଟି ସହର ଭୁବନେଶ୍ଵର ଏବଂ ରାଉରକେଲାରେ ଆୟୋଜିତ ହେଉଛି। ଜାନୁଆରୀ ୧୩ରୁ ଆରମ୍ଭ ହୋଇ ବିଶ୍ଵ କପ୍ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ରାଜଧାନୀ ଭୁବନେଶ୍ଵର ଏବଂ ରାଉରକେଲା ନୂତନ ରୂପରେ ସଜେଇ ହୋଇଛି। ଦୁଇ ସହରର ସୌନ୍ଦର୍ଯ୍ୟକରଣ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।





