ଭୁବନେଶ୍ଵର,୬/୧(ସତ୍ୟପାଠ ବ୍ୟୁରୋ): ଗତ ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି। ମଥୁରା ନଗରୀ ରେ ଚାଲିଥିବା କଂସ ରାଜୁତିର ଆଜି ଅନ୍ତ ଘଟିବ। ଆଜି ବିଶ୍ୱର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ମାମୁ କଂସକୁ ବଧ କରିବେ କୃଷ୍ଣ। ତେବେ ଗତ ୩୧ ତାରିଖରୁ ମୁକ୍ତାକାଶ ରଙ୍ଗ ମଞ୍ଚରେ କୃଷ୍ଣଜନ୍ମ ଠାରୁ ଆରମ୍ଭ କରି କୃଷ୍ଣଙ୍କ ମଥୁରା ଗମନ ଅଭିନୀତ ହୋଇସାରିଛି।

ଆଜି ଶେଷ ତଥା ଦଶମ ଦିନରେ କୁବଳିୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ ମାମୁ କଂସଙ୍କ ବଧ ଦୃଶ୍ୟ ଅଭିନୀତ ହେବ। ପରେ ଦେବକୀ ଓ ବସୁଦେବଙ୍କୁ କାରାକାରରୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିବେ କୃଷ୍ଣ-ବଳରାମ।

ତେବେ ଗତକାଲି ଅର୍ଥାତ ନବମ ଦିନରେ କଂସଙ୍କ ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବାକୁ ପହଞ୍ଚିଥିଲେ କୃଷ୍ଣ ବଳରାମ। ମଥୁରା ନଗର ବୁଲିବା ବେଳେ ପୂର୍ଣ୍ଣ କଳସୀ ରଖି ପ୍ରଭୁଙ୍କୁ ସ୍ୱାଗତ ଓ ପୂଜାର୍ଚ୍ଚନା କରିଥିଲେ ମଥୁରାବାସୀ। ପରେ ଖଜୁରଟିକ୍ରା ଠାରେ ସୁଦାମା ମାଳି ଓ ରଜକଙ୍କୁ ସାକ୍ଷାତ କରିବା ସହ କାଳୀମନ୍ଦିରରେ କୁବୁଜାକୁ ଉଦ୍ଧାର କରିଥିଲେ।