ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନିମାସ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି। ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ବର୍ଷ ଜାନୁୟାରୀ ୩୦ତାରିଖ ଦିନ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ମଡେଲ ସୌମ୍ୟ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଫେବୃୟାରୀ ୨ତାରିଖ ଦିନ ସୌମ୍ୟଙ୍କ ଭଉଣୀ ଇନଫୋସିଟି ଥାନାରେ ଏହି ଘଟଣା ନେଇ ଏତଲା ଦେଇଥିବା ବେଳେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଫେବ୍ରୁଆରି ୧୯ତାରିଖରେ ସେ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଭୁବନେଶ୍ୱର ଡିସିପିଙ୍କ ପାଖରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ପୁଲିସ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତବର୍ଷ ଫେବୃୟାରୀ ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ସୌମ୍ୟଙ୍କ ଭଉଣୀଙ୍କ ଅଭିଯୋଗ ଉପରେ ତିନି ସପ୍ତାହ ଭିତରେ ପଦକ୍ଷେପ ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ହାଇକୋର୍ଟ‌ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଦର୍ଶାଇ ସୌମ୍ୟଙ୍କ ଭଉଣୀ ଅଦାଲତ ଅବମାନନା ମାମଲା ମଧ୍ୟ ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି |