ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ୪ ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତ କରିଛନ୍ତି।

ପ୍ରଫେସର ଶ୍ରୀ ମିଶ୍ରଙ୍କର ଅଧ୍ୟାପନା କ୍ଷେତ୍ରରେ ଦୀର୍ଘ ୩୪ ବର୍ଷର ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିଲେ।ସେ ସେଠାରେ ଡିପାର୍ଟମେଣ୍ଟ୍ ଅଫ୍ ବିଜ୍‌ନେସ୍ ଆଡ୍‌ମିନିଷ୍ଟ୍ରେସନର ପ୍ରଫେସର ଥିଲେ।ପ୍ରଫେସର ମିଶ୍ର ୯ଟି ପୁସ୍ତକ ଲେଖିଛନ୍ତି। ଏହା ସହିତ ବିଭିନ୍ନ ବଡ଼ ବଡ଼ ଜର୍ଣ୍ଣାଲରେ ତାଙ୍କର ୧୨୨ଟି ଲେଖା ପ୍ରକାଶିତ ହୋଇଛି। ତାଙ୍କ ମାର୍ଗଦର୍ଶନରେ ଜଣେ ଡିଲିଟ୍ କରିଥିବା ବେଳେ ୩୯ ଜଣ ପିଏଚ୍‌ଡି ଓ ୩ ଜଣ ଏମ୍‌ଫିଲ୍ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ସଞ୍ଜୀବ ମିତ୍ତଲ ବିଭିନ୍ନ ବିବାଦ ମଧ୍ୟରେ ଛନ୍ଦି ହେବାପରେ ପଦ ଛାଡ଼ିଥିଲେ। ଏହାପରେ ନୂତନ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମୋଟ ୪୭ଜଣ ପ୍ରଫେସର୍‌ ଏହି ସମ୍ମାନଜନକ ପଦ ପାଇଁ ଆବେଦନ କରିଥିବା ବେଳେ ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ୩ଜଣ ପ୍ରଫେସର୍‌ ସ୍ଥାନ ପାଇଥିଲେ। ରବିବାର କୁଳାଧିପତି ପ୍ରଫେସର୍‌ ଲାଲ ସେମାନଙ୍କର ସାକ୍ଷାତକାର ନେଇଥିଲେ। ୩ ଆଶାୟୀ ପ୍ରଫେସର୍‌ଙ୍କ ସାକ୍ଷାତକାର ନେବା ପରେ ରାଜଭବନ ପକ୍ଷରୁ ପ୍ରଫେସର୍‌ ମିଶ୍ରଙ୍କ ନାମ କୁଳପତି ଭାବେ ଘୋଷଣା କରାଯାଇଛି।