‘ନ୍ୟାୟପାଳିକାକୁ ନିଜ କବ୍‌ଜାକୁ ନେବାପାଇଁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର’: କପିଲ ସିବଲ

ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ଏବେର ରାଜ୍ୟସଭା ସାଂସଦ କପିଲ ସିବଲ ରବିବାର କେନ୍ଦ୍ର ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସିବଲ କହିଛନ୍ତି ଯେ, କେନ୍ଦ୍ର ସରକାର ଦେଶର ନ୍ୟାୟପାଳିକାକୁ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ, ଏପରି ପରିସ୍ଥିତି ସୃଷ୍ଟି କରିବାକୁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଯେଉଁଥିରେ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ସୁପ୍ରିମକୋର୍ଟରେ ଆଉ ଏକ ପରୀକ୍ଷଣ କରାଯାଇପାରିବ।

ଏହି ୭୪ ବର୍ଷିୟ ବରିଷ୍ଠ ଆଇନଜୀବି ଓ ରାଜନେତା କେଶବାନନ୍ଦ ଭାରତୀଙ୍କ ନିଷ୍ପତ୍ତିର ମୌଳିକ ଢ଼ାଞ୍ଜାର ସିଦ୍ଧାନ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ଏହା ତ୍ରୁଟିପୁର୍ଣ୍ଣ ବୋଲି ସ୍ବିକାର କରିବାକୁ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ନ୍ୟାୟପାଳିକା ନିଯୁକ୍ତିରେ ଚୂଡ଼ାନ୍ତ କଥା ନ ଥିବାରୁ ସରକାର ଏହା ସହ ମେଣ୍ଟ କରିପାରୁ ନାହାଁନ୍ତି। ଏକ ସାକ୍ଷାତକାରରେ ସିବଲ୍ କହିଛନ୍ତି ଯେ, ସରକାର ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଯେଉଁଥିରେ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ପୁଣି ଥରେ ସୁପ୍ରିମକୋର୍ଟରେ ଭିନ୍ନ ରୂପରେ ଯାଞ୍ଚ କରାଯାଇପାରିବ।

ସୁଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଏନଜେଏସିକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଧନଖଡ଼ ୧୯୭୩ର କେଶବାନନ୍ଦ ଭାରତୀଙ୍କ ମାମଲାର ଐତିହାସିକ ନିଷ୍ପତ୍ତି ଉପରେ ବି ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ, ଏହି ନିଷ୍ପତ୍ତି ଏକ ଭୁଲ ଉଦାହରଣ ସୃଷ୍ଟି କରିଛି ଏବଂ ସେ ସୁପ୍ରିମକୋର୍ଟଙ୍କ ରାୟରେ ସହମତି ପ୍ରକାଶ କରିପାରନ୍ତି ନାହିଁ ଯେ ସଂସଦ ସମ୍ବିଧାନରେ ସଂଶୋଧନ କରିପାରିବ, କିନ୍ତୁ ମୌଳିକତା ଗଠନରେ ନୁହେଁ।

ସୁପ୍ରିମକୋର୍ଟ ୨୦୧୫ରେ ଏନଜେଏସି ଅଧିନିୟମକୁ ଅସମ୍ବିଧାନିକ ଘୋଷଣା କରିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ହେବ। ତେବେ ଧନଖଡ଼ଙ୍କ ଟିପ୍ପଣୀକୁ ନେଇ ନିଜ ପ୍ରତିକ୍ରିୟାରେ ସିବଲ କହିଛନ୍ତି ଯେ, ଯେତେବେଳେ ଏକ ଉଚ୍ଚ ସାମ୍ବିଧାନିକ ପ୍ରାଧିକରଣ ଏବଂ ଆଇନରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତି ଏପରି ମନ୍ତବ୍ୟ ଦେଉଛନ୍ତି, ସେତେବେଳେ ନିଶ୍ଚୟ ପ୍ରଥମ ପ୍ରଶ୍ନ ଉଠିବ ଯେ, ସେ ନିଜର ବ୍ୟକ୍ତିଗତ ମତ ପ୍ରକାଶ କରୁଛନ୍ତି ନା ସରକାରଙ୍କ ପକ୍ଷରୁ କହୁଛନ୍ତି ବୋଲି ସିବଲ ପ୍ରଶ୍ନ ଉଠାଇଛନ୍ତି।

Related Posts