ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ୧୦୦ରୁ ଅଧିକ ଚିତା ବାଘ

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଗୁରୁବାର ଏହା କହିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ପ୍ରତିବର୍ଷ ଭାରତକୁ ୧୨ଟି ଚିତା ପଠାଯିବା ଲାଗି ଯୋଜନା କରାଯାଇଛି । ଏହି ପର୍ଯ୍ୟାୟରେ ଆସନ୍ତା ଫେବୃୟାରୀ ମାସରେ ୧୨ଟି ଚିତା ବିମାନ ଯୋଗେ ଭାରତକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଗତ ୨୦୨୨ ସେପ୍ଟେମ୍ବର ମାସରେ ୮ଟି ଚିତା ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ।

ସୂଚନାଯୋଗ୍ୟ ଯେ, ଏକଦା ଭାରତରେ ଏସୀୟ ଚିତାଙ୍କ ବହୁଳ ଚଳପ୍ରଚଳ ରହିଥିଲା । ତେବେ ବାସସ୍ଥାନ କ୍ଷୟ ଏବଂ ଛାଲ ପାଇଁ ଶିକାର ଯୋଗୁଁ କ୍ରମଶଃ ଭାରତରୁ ଚିତା ସଂଖ୍ୟା ହ୍ରାସ ପାଇବା ପରେ ୧୯୫୨ରେ ଏହି ଜନ୍ତୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା । ଦେଶରେ ସାବଧାନତା ସହକାରେ ଚୟନ କରାଯାଇଥିବା ସ୍ଥାନକୁ ଚିତାର ଉପପ୍ରଜାତି ଆଫ୍ରିକୀୟ ଚିତା ଆଣି ପରୀକ୍ଷାମୂଳକ ଭାବେ ଛଡ଼ାଯାଇ ପାରେ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେବାରୁ ୨୦୨୦ରେ ଏହି ଜନ୍ତୁକୁ ଅଣାଯିବା ଲାଗି ତତ୍ପରତା ପ୍ରକାଶ ପାଇଥିଲା । ଏହା ପରେ ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଆସିଥିଲା । ଚିତାଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି ।

Related Posts