ଭୁବନେଶ୍ୱର,୯/୨(ସତ୍ୟପାଠ ବ୍ୟୁରୋ): ପୁଣି କୋଟିଆରେ ପଶିଲା ଆନ୍ଧ୍ରପ୍ରଦେଶ। ଆନ୍ଧ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ଲୋକଙ୍କୁ ବୁଝାଇଛନ୍ତି ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା। ଆନ୍ଧ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ ନେଇ ସେ ସମୀକ୍ଷା କରିଛନ୍ତି ।

ସୂଚନା ଅନୁସାରେ କୋଟିଆ ପଂଚାୟତର ଧୂଳିପଦର ଗାଁରେ ଉପମୁଖ୍ୟମନ୍ତ୍ରୀ ପହଂଚି ଲୋକଙ୍କୁ ଜଗନ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ସହ ପ୍ରଦତ୍ତ ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି, ସ୍କୁଲ ଓ ଆମ୍ମା ବାଡି ଏବଂ ଜଙ୍ଗଲଜମି ପଟ୍ଟା ଭଳି ଯୋଜନାର ହିତାଧିକାରୀଙ୍କ ପାଖକୁ ଯାଇ ସେମାନଙ୍କର ଆଉ କ’ଣ ସମସ୍ୟା ରହିଛି ତାହାର ସମୀକ୍ଷା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆକୁ ଆସି ଲୋକଙ୍କୁ ଆନ୍ଧ୍ରର ଯୋଜନା ବାବଦରେ ବୁଝାଇଥିଲେ। ତେବେ ଆଜି ପୁଣି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଉପରୋକ୍ତ ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର କରିଥିବା ଯୋଜନାର ସମୀକ୍ଷା କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ବିଭିନ୍ନ ସମୟରେ ଆନ୍ଧ୍ର ସରକାରଙ୍କ ଅନ୍ୟ ଅଧିକାରୀମାନେ ମଧ୍ୟ କୋଟିଆକୁ ଆସି ଏହା ଆନ୍ଧ୍ରପ୍ରଦେଶର ବୋଲି ଦାବି କରିଆସୁଛନ୍ତି |