‘ଯେତେ କାଦୁଅ ଫିଙ୍ଗିବ, ସେତେ ଅଧିକ ପଦ୍ମ ଫୁଟିବ’; ସଂସଦରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ଭୁବନେଶ୍ୱର,୯/୨(ସତ୍ୟପାଠ ବ୍ୟୁରୋ): ଯେତେ କାଦୁଅ ଫିଙ୍ଗିବ, ସେତେ ଅଧିକ ପଦ୍ମ ଫୁଟିବ । ସଂସଦରେ କିଛି ଏହିଭଳି ଢଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦରେ ହଙ୍ଗାମା କରୁଥିବା ବିରୋଧୀଙ୍କ ଉପରେ ନିଶାନା ଲଗାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ସଂସଦରେ ଅନେକ ବୁଦ୍ଧିଜୀବି ଦେଶକୁ ନୂଆ ଦିଗ ପ୍ରଦାନ କରିଛନ୍ତି । ସଂସଦରେ ଏଭଳି ଲୋକବି ବସିଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଅନେକ ସିଦ୍ଧି ପ୍ରାପ୍ତ କରିଛନ୍ତି । ସଂସଦରେ ହେଉଥିବା ଆଲୋଚନାକୁ ଦେଶ ଗମ୍ଭିରତାର ସହ ଦେଖିଥାଏ ଏବଂ ଗୁରୁତର ସହ ନେଇଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ସଂସଦରେ ଉପସ୍ଥିତ ଥିବା କିଛି ଲୋକଙ୍କ ବ୍ୟବହାର ଓ ବୟାନ୍ କେବଳ ସଂସଦକୁ ନୁହେଁ ସାରା ଦେଶକୁ ନିରାଶ କରୁଛି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟସଭାରେ ଗତକାଲି ମଲ୍ଲିକାର୍ଜୁନ୍ ଖଡଗେ ଅଭିଯୋଗ କରିଥିଲେ, ମୋଦି ବାରମ୍ବାର ତାଙ୍କ ସଂସଦୀୟ କ୍ଷେତ୍ରକୁ ଆସୁଛନ୍ତି । ମୁଁ ତାଙ୍କୁ କହିବାକୁ ଚାହୁଁଛି, ମୁଁ ଆସୁଛି ବୋଲି ଆପଣ ମତେ ଦେଖୁଛନ୍ତି କିନ୍ତୁ ଏହା ମଧ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ କି, ସେଠାରେ ୧ କୋଟି ୭୦ ଲକ୍ଷ ଜନଧନ ଆକାଉଣ୍ଟ୍ ଖୋଲାଯାଇଛି । ଏହାକୁ ଦେଖି ଖଡଗେଙ୍କ ମନର ପୀଡା ମୁଁ ବୁଝିପାରୁଛି । ସେଠାରେ ଆପଣଙ୍କୁ ଜନତା ପ୍ରତ୍ୟାଖାନ କରୁଛନ୍ତି । ଯାହାର ଦୁଃଖ ସଂସଦରେ ଆସି ବାହାର କରୁଛନ୍ତି ଖଡଗେ । ତେଣୁ ମୁଁ କହି ରଖୁଛି ତୁମେ ଯେତେ କାଦୁଅ ଫିଙ୍ଗିବ, ଚାରିଆଡେ ସେତେ ଅଧିକ ପଦ୍ମ ଫୁଟିବ।

Related Posts