ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଟେଷ୍ଟରେ ଭାରତର ବିରାଟ ବିଜୟ, ଗୋଟିଏ ଇନିଂସ ଓ ୧୩୨ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ। ଗୋଟିଏ ଇନିଂସ ଓ ୧୩୨ ରନ୍‌ରେ ପରାସ୍ତ ହୋଇଛି ଭ୍ରମଣକାରୀ କଙ୍ଗାରୁ ଦଳ। ଭାରତର ପ୍ରଥମ ଇନିଂସ ୪୦୦ ରନ୍‌ରେ ଶେଷ ହେବା ପରେ ଆଜି ଦ୍ଵିତୀୟ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ହେଲେ ପ୍ରଥମ ଇନିଂସରେ ଖରାପ ଖେଳିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଆହୁରି ଖରାପ ଖେଳ ପ୍ରଦର୍ଶନ କରିଥିଲା। ବିଜୟ ପାଇଁ ୨୨୪ ରନ୍‌ ଆବଶ୍ୟକ ଥିବା ବେଳେ ଦଳ ମାତ୍ର ୯୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ତେବେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ରବୀନ୍ଦ୍ର ଜାଡ଼େଜା ଧରାଶୟୀ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେମାନେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରି ପାରି ନଥିଲେ। ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ଚେକ୍ ଦେବାରେ ସଫଳ ହୋଇ ନଥିଲେ।

ଓପନର ଉସ୍‌ମାନ ଖ୍ୱାଜା ଦ୍ୱିତୀୟ ଓଭରରେ ଆଉଟ୍ ହୋଇଯାଇଥିଲେ। ଅଶ୍ୱିନଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ଡେଭିଡ୍ ୱାର୍ଣ୍ଣର ଓ ମାର୍ନସ ଲାବୁସେନ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଦୁହେଁ କ୍ରିଜ୍‌ରେ ରହିବାକୁ ପ୍ରୟାସ କରିଥିଲେ। କିନ୍ତୁ ସଫଳ ହୋଇ ନଥିଲେ। ସେମାନଙ୍କ ଭାଗିଦାରୀରୁ ମାତ୍ର ୧୯ ରନ୍ ବାହାରିଥିଲା। ତାହା ପୁଣି ୫୪ଟି ବଲ୍‌ରେ। ୧୦.୫ ଓଭରରେ ଲାବୁସେନ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେ ୨୮ଟି ବଲ୍‌ରୁ ୧୭ ରନ୍ କରି ଆଉଟ୍ ହୋଇଥିଲେ।

ଲାବୁସେନ ଆଉଟ୍ ହେବା ପରେ ପ୍ରାୟ ୨/୩ ଓଭର ଛାଡ଼ି ଅଷ୍ଟ୍ରେଲିଆର ଗୋଟିଏ ଲେଖାଏଁ ୱିକେଟ୍ ପଡ଼ିଥିଲା। ଡେଭିଡ୍ ୱାର୍ଣ୍ଣର ୧୩.୫ ଓଭରରେ ଆଉଟ୍ ହୋଇଥିଲେ। ସେତେବେଳେ ଦଳୀୟ ସ୍କୋର ୩୪ରେ ପହଞ୍ଚିଥିଲା। ଅଶ୍ୱିନ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ସେ ୪୧ଟି ବଲ୍‌ରୁ ମାତ୍ର ୧୦ ରନ୍ କରିଥିଲେ।

ୱାର୍ଣ୍ଣର ଆଉଟ୍ ହେବା ପରେ ଗୋଟିଏ ପଟରେ ଷ୍ଟିଭେନ୍ ସ୍ମିଥ୍ ରହିଥିବା ବେଳେ ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ। ମ୍ୟାଟ୍ ରେନ୍‌ଶ’ ୨, ପିଟର ହ୍ୟାଣ୍ଡସ୍କମ୍ବ ୬, ଆଲେକ୍ସ କ୍ୟାରୀ ୧୦, ପ୍ୟାଟ୍ କମିନ୍‌ସ ୧, ଟଡ୍ ମର୍ଫୀ ୨, ନାଥନ ଲିୟନ ୮ ରନ୍‌ରେ ଓ ସ୍କଟ୍ ବୋଲାଣ୍ଡ ଶୂନରେ ଆଉଟ୍ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୫୧ଟି ବଲ୍‌ରୁ ୨୫ ରନ୍ କରି ଅପରାଜିତ ରହିଥିଲେ।

ତେବେ ଏହି ପ୍ରଥମ ମ୍ୟାଚରେ ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି।

Related Posts