ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀରେ କଂଗ୍ରେସରେ ମିଶିବା ପରେ ଆଜି ଓଡ଼ିଶା ଫେରିଛନ୍ତି । ଆଜି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ପଟ୍ଟନାୟକ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି ଯେ, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି ଲୋକମାନଙ୍କ କଥା ଏବେ ସରକାର ଶୁଣିପାରୁନି।
ବିଧାୟକଙ୍କ ପାଖକୁ କୌଣସି ଲୋକ ଅସୁବିଧା ନେଇ ଗଲେ ସେ କହୁଛନ୍ତି ଅଫିସରଙ୍କ ପାଖକୁ ଯାଅ । ସେହିପରି ମନ୍ତ୍ରୀମାନେ ମଧ୍ୟ ସମାନ କଥା କହୁଛନ୍ତି। ଅଫିସରଙ୍କ ପାଖକୁ ଗଲେ ସେ କହିବେ ତୃତୀୟ ମହଲା ବୁଝୁଛି। କିନ୍ତୁ ତୃତୀୟ ମହଲା ଅପହଞ୍ଚ। ଏବେ ତୃତୀୟ ମହଲା ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି। ଯେଉଁଠି ଲୋକସେବା ଭବନ ଆଉ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ମନା ହେଉଛି, ସେଠି ଲୋକଙ୍କ ସ୍ୱର କେମିତି ଶୁଭିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନେତାମାନେ ଯଦି ଲୋକଙ୍କ ସହ ମିଶିବେନି, ସେମାନଙ୍କ ଗୁହାରି ଶୁଣିବେନି ତେବେ ଏହାକୁ ଗଣତନ୍ତ୍ର କେମିତି କୁହାଯିବ? ରାଜ୍ୟରେ ଏବେକା ସମୟରେ ଚାଲିଥିବା ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଆବଶ୍ୟକ । ଅନ୍ୟପଟେ ସେଚ୍ଛାଚାରିତା ବଢିଲେ ଦୁର୍ନୀତି ବଢେ। ଲଡ୍ ଆକ୍ଟନ କହିଥିଲେ, ଯଦି କୌଣସି ଲୋକର କ୍ଷମତା ବିରୋଧରେ କହିପାରିବେନି, ତେବେ ସ୍ୱେଚ୍ଛାଚାରିତା ବଢିବ, ଦୁର୍ନୀତି ବଢିବ। ବର୍ତ୍ତମାନ ସମୟରେ ସାଧାରଣ ଲୋକଟିଏ ଘର ପାଇଁ କାର୍ଡ ଲାଗି ଭତ୍ତା ପାଇଁ ଟଙ୍କା ଦେବାକୁ ପଡୁଛି। ଏ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ସେହିପରି 5T କୁ ସମାଲୋଚନା କରି ସେ କହିଛନ୍ତି ଯେ, 5Tରେ ଯେଉଁ ସ୍ବଚ୍ଛତା କଥା କୁହାଯାଉଛି, ସତରେ ସେତିକି ସ୍ବଚ୍ଛତା ଅଛି କି ? ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି । ସେ କହିଥିଲେ, 5T ଏକ ସ୍ଲୋଗାନ। ସବୁ ବିଭାଗର ସଚିବ ଅଛନ୍ତି । ପୁଣି 5T କାହିଁକି ଆବଶ୍ୟକ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଏବେ ଓଡ଼ିଶାରେ ଓଡ଼ିଆମାନେ ନିର୍ଯ୍ୟାତିତ। ଓଡ଼ିଶାର କଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି। କେବଳ ବଡ଼ ବଡ଼ ନୁହେଁ, ଛୋଟ ଛୋଟ କଣ୍ଟ୍ରାକ୍ଟର ଯଦି ଓଡ଼ିଶା ବାହାରୁ ଆସି କାମ କରିବେ, ତେବେ ଓଡ଼ିଶାର ଲୋକ କୁଆଡ଼େ ଯିବେ? ରାଜ୍ୟର ବିକାଶ ପାଇଁ ଅନେକ କାମ ଚାଲିଛି ହେଲେ ସବୁକିଛି ବାହାରୁ ଆସୁଛି । ବାହାର ଲୋକଙ୍କୁ ସବୁ କାମ ଦିଆଯାଉଛି। ଓଡ଼ିଶାରେ ଓଡ଼ିଆ ଲୋକଙ୍କୁ କାମ ନମିଳିବା କାରଣରୁ ଓଡ଼ିଶାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବିଜୟ କହିଛନ୍ତି । ଓଡିଶାରେ ବର୍ତ୍ତମାନ ନିଯୁକ୍ତିର ଅଭାବ ଦେଖାଦେଇଛି । ଓଡ଼ିଶାର କେତେ ଲୋକ ବାହାରେ ଦାଦନ ଖଟୁଛନ୍ତି, ତାହା ସରକାର ପାଖରେ ତଥ୍ୟ ନାହିଁ। ଓଡ଼ିଶାରେ ଯଦି ସୁବିଧା ସୁଯୋଗ ଥାନ୍ତା, ତେବେ ଓଡ଼ିଆ ଲୋକମାନେ କଣ ପାଇଁ ବାହାରକୁ ଯାଆନ୍ତେ ବୋଲି ବିଜୟ କହିଛନ୍ତି।
ଅନ୍ୟପଟେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏକ ଉତ୍ତରରେ ବିଜୟ ପଟ୍ଟନାୟକ କହିଛନ୍ତି, ନବ ଦାସଙ୍କୁ ବୋଧହୁଏ ଗୋପାଳ ଦାସ ମାରିନି। ଏହା ପଛରେ ନିଶ୍ଚିତ ଅନ୍ୟ କୌଣସି ଲୋକର ହାତ ଅଛି। କାହାର ହାତ ନଥିଲେ, ଏଏସଆଇ ଗୋପାଳ ଦାସ କଣ ମାରିଦେଇପାରିବ? କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର। ଯଦି କ୍ରାଇମବ୍ରାଞ୍ଚ ଏଥିରେ ସଫଳ ହେଉନି, ତେବେ ମାମଲା ସିବିଆଇକୁ ହସ୍ତାନ୍ତର ହେଉ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା ପ୍ରମୁଖ ବି ଉପସ୍ଥିତ ଥିଲେ।
