ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ; ଧରଣୀଧର ମେଡିକାଲ କଲେଜର ଉଦଘାଟନ ସହ ଜିଲ୍ଲା ପାଇଁ ୪୭୦୩ କୋଟି ଟଙ୍କାର ଘୋଷଣା କଲେ ପ୍ରକଳ୍ପ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି । ଏହି ଅବସରରେ ୧୪,୩୭୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ।

ଆଜି ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ସଭାସ୍ଥଳକୁ ଯାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଧରଣୀଧର ମଡିକାଲ କଲେଜର ଶୁଭ ଉଦଘାଟନ କରିଥିଲେ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ୍ କଲେଜରେ ପ୍ରଥମ ବର୍ଷରେ ୧୦୦ଟି ଏମବିବିଏସ ସିଟରେ ନାମଲେଖା ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଏହି ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧରଣୀଧର କଲେଜରେ ୨୫ଟି ବ୍ଲକ ଓ ୧୮ଟି କୋଠା ନିର୍ମାଣ କରାଯାଇଛି ।

ଆଜିର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମିଶନ୍ ଶକ୍ତିର ମା’ ମାନଙ୍କୁ ଉଦ୍ୟୋଗୀ କରିବା ସରକାରର ଲକ୍ଷ୍ୟ । ସେଥିପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଇଛି । କେନ୍ଦୁଝରର ମିଶନ ଶକ୍ତିର ମା’ଙ୍କୁ ୩୮୦ କୋଟି ଟଙ୍କା ସହାୟତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟର ବିକାଶରେ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କେନ୍ଦୁଝରରେ ବହୁ ମାତ୍ରରେ ଏସସି, ଏସଟି ଲୋକ ଅଛନ୍ତି । ଚାଷୀ ଭାଇ ଅଛନ୍ତି । ମିଲେଟ୍ ମିଶନରେ ଭଲ କାମ କରି ଆମ କେନ୍ଦୁଝରର ଚାଷୀ ଭାଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । କେନ୍ଦୁଝରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ମା’ମାନଙ୍କ କଲ୍ୟାଣଠୁ ଆରମ୍ଭ କରି ଚାଷୀ ଓ ସ୍କୁଲ ରୂପାନ୍ତର ଯୋଗାଯୋଗର ବିଭିନ୍ନ କାମ ଉପରେ ଜୋର ଦିଆଯାଇଛି ।

ତେବେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତ ପୂର୍ବରୁ ଜିଲ୍ଲାକୁ ଏକ ବଡ ଭେଟି ଦେଇଥିଲେ । ଗତକାଲି କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଫାଇଭ ୫T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ଧରଣୀଧର କଲେଜର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଉପହାରମାନ ଦେଇଥିଲେ ।

Related Posts