କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଓନ ମୋର୍ଗାନ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ମାତ୍ର ୩୬ ବର୍ଷ ବୟସରେ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଓନ ମୋର୍ଗାନ। ଗତବର୍ଷ ଜୁନ ମାସରେ ଅନ୍ତର୍ଜାତୀୟ କ୍ରିକେଟରୁ ମୋର୍ଗାନ ଅବସର ନେଇଥିଲେ ମଧ୍ୟ ଫ୍ରାଞ୍ଚାଇଜ୍‌ ଲିଗ୍‌ ଖେଳିବାରେ ଲାଗିଥିଲେ। କିନ୍ତୁ ଆଜି ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମୋର୍ଗାନଙ୍କ ଅଧିନାୟକତ୍ଵରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱକପ୍ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା।

ହେଲେ ଏବେ ଆଉ ତାଙ୍କ କ୍ରିକେଟ ପଡ଼ିଆରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯାଇଥିଲେ। ଆଜି ସେ ଏକ ବିବୃତି ଜାରି କରି କ୍ରିକେଟକୁ ଅଲବିଦା କହିଛନ୍ତି। ଏଥିସହ ତାଙ୍କୁ ଦୀର୍ଘବର୍ଷ ହେଲା ସମର୍ଥନ କରିଆସିଥିବା ଲୋକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ମୋର୍ଗାନ କହିଛନ୍ତିn ଯେ, “ଅନେକ କିଛି ଚିନ୍ତା କରିବା ପରେ କ୍ରିକେଟକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ବର୍ଷ ହେଲା ମୋତେ ଅନେକ କିଛି ଦେଇ ଆସିଥିବା ଖେଳକୁ ଛାଡ଼ିବା ପାଇଁ ଏଇଟା ହିଁ ଉପଯୁକ୍ତ ସମୟ। ୨୦୦୫ରେ ଇଂଲଣ୍ଡକୁ ଆସି ମିଡିଲେସେକ୍ସ ସହ ସାମିଲ ହେବା ପର ଠାରୁ ଦକ୍ଷିଣ ଆଫ୍ରିକା ଟି-୨୦ରେ ପର୍ଲ ରୟାଲ୍ସ ପାଇଁ ଖେଳିବା ଯାଏ ମୁଁ ବହୁତ ଉପଭୋଗ କରିଛି। କ୍ରିକେଟ ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ମୁଁ ଯାଇଛି ଓ ସେଠାରେ ଅନେକ ଚମତ୍କାର ଲୋକଙ୍କୁ ଭେଟିଛି। ଅନେକଙ୍କ ସହ ଜୀବନବ୍ୟାପୀ ବନ୍ଧୁତା ମଧ୍ୟ ସ୍ଥାପନ କରିଛି। ଏଥିପାଇଁ କ୍ରିକେଟକୁ ଧନ୍ୟବାଦ। ସାରା ବିଶ୍ୱରେ ଫ୍ରାଞ୍ଚାଇଜ୍‌ କ୍ରିକେଟ ଖେଳିବା ସମୟରେ ଅନେକ ସ୍ମୃତି ସାଉଁଟିଛି। ସେହି ସ୍ମୃତି ଗୁଡ଼ିକ ସବୁଦିନ ମୋ ସହ ରହିବ।”

ତେବେ ମୋର୍ଗାନ କେବଳ ଇଂଲଣ୍ଡର ନେତୃତ୍ୱ ନେଇ ନଥିଲେ। ସେ ଦି ହଣ୍ଡରେଣ୍ଡରେ ଲଣ୍ଡନ ସ୍ପିରିଟ୍‌ ଓ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମଙ୍ଗ ମଧ୍ୟ ସମ୍ଭାଳିଥିଲେ। ୨୦୧୨ରେ ମୋର୍ଗାନ ଇଂଲଣ୍ଡ ଟି-୨୦ ଟିମର ଅଧିନାୟକ ପଦ ପାଇଥିଲେ। ୩୬ ବର୍ଷୀୟ ମୋର୍ଗାନ ଦୀର୍ଘ ୧୩ ବର୍ଷ ହେଲା ଇଂଲଣ୍ଡ ପାଇଁ ଖେଳିଛନ୍ତି। ୨୦୧୯ରେ ତାଙ୍କ କ୍ୟାପ୍ଟେନ୍ସିରେ ଇଂଲଣ୍ଡ ଲର୍ଡ୍ସସରେ ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା। ସେହିପରି ୨୦୧୦ରେ ଇଂଲଣ୍ଡର ଟି-୨୦ ବିଶ୍ୱକପ ବିଜେତା ଟିମ୍‌ରେ ମୋର୍ଗାନ ରହିଥିଲେ। ୨୦୧୫ରେ ତାଙ୍କୁ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ପଦ ମିଳିଥିଲା। ଆଲିଷ୍ଟର କୁକଙ୍କ ପରେ ସେ ଅଧିନାୟକ ପଦ ସମ୍ଭାଳିଥିଲେ। ଏହି ସମୟରେ ଇଂଲଣ୍ଡ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚିଥିଲା।

୨୦୧୬ ଟି-୨୦ ବିଶ୍ୱକପ ଫାଇନାଲ ଇଂଲଣ୍ଡ ମୋର୍ଗାନଙ୍କ କ୍ୟାପ୍ଟେନ୍ସିରେ ଖେଳିଥିଲା। ହେଲେ ଦଳ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଥିଲେ। ୨୦୧୭ ଚାମ୍ପିୟନଶିପ ଟ୍ରଫି ଓ ୨୦୨୧ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ମଧ୍ୟ ଇଂଲଣ୍ଡକୁ ମୋର୍ଗାନ ପହଞ୍ଚାଇଥିଲେ। ମୋର୍ଗାନ ୨୦୦୬ରେ ପ୍ରଥମେ ଆୟର୍ଲ୍ୟାଣ୍ତ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ହେଲେ ଏହାର ୪ ବର୍ଷ ପରେ ସେ ଇଂଲଣ୍ଡ ପାଇଁ ଟି-୨୦ରେ ଡେବ୍ୟୁ କରି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

ଇଂଲଣ୍ଡ ପାଇଁ ସେ ୨୨୫ଟି ଦିନିକିଆ ଓ ଆୟର୍ଲ୍ୟାଣ୍ତ ୨୩ଟି ଦିନିକିଆ ଖେଳିଛନ୍ତି। ମୋଟ ୨୪୮ଟି ଦିନିକିଆରେ ସେ ୭,୭୦୧ ରନ କରିଛନ୍ତି। ଏଥିରେ ୧୪ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ରହିଛି। ମୋର୍ଗାନ ଇଂଲଣ୍ଡ ପାଇଁ ୧୧୫ଟି ଟି-୨୦ ମ୍ୟାଚ୍‌ ଖେଳି ୨୪୫୮ ରନ କରିଛନ୍ତି। ତେବେ ଟେଷ୍ଟରେ ମୋର୍ଗାନଙ୍କୁ ବେଶୀ ସୁଯୋଗ ମିଳି ନଥିଲା। ସେ ୧୩ ବର୍ଷର କ୍ୟାରିୟର ମଧ୍ୟରେ କେବଳ ୧୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୦୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୦ରୁ ସେ ଆଇପିଏଲରେ ବିଭିନ୍ନ ଦଳ ପକ୍ଷରୁ ଖେଳି ଆସୁଥିଲେ। ଏପରି କି ସେ କୋଲକାତାର ଅଧିନାୟକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ।

Related Posts