ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବାଟ ଫିଟିଲା, ସୁପ୍ରିମକୋର୍ଟରେ ସୀମା ଚିହ୍ନଟ ବିରୋଧ ଆବେଦନ ଖାରଜ

ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀର ପରିସୀମା ଚିହ୍ନଟକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା ଆବେଦନ ଖାରଜ ହୋଇଛି । ନିର୍ବାଚନ ପୂର୍ବରୁ ବିଧାନସଭା ଓ ସଂସଦୀୟ କ୍ଷେତ୍ରର ପରିସୀମା ନିର୍ଦ୍ଧାରଣ କାମ ଜାରି ରଖିବାକୁ କୋର୍ଟ କହିଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ୨ ଜଣିଆ ଖଣ୍ଡପୀଠ ଆବେଦନକୁ ଖାରଜ କରିବା ସହିତ ଏକ ଆଦେଶ ପାରିତ କରିଛନ୍ତି ।

ଜଷ୍ଟିସ୍ ଏସକେ କୌଲ ଓ ନ୍ୟାୟମୂର୍ତ୍ତି ଏଏସ ଓକା ମାମଲାର ଆଜି ଶୁଣାଣି କରିଥିଲେ । ଜଷ୍ଟିସ୍ ଏଏସ ଓକା ସ୍ପଷ୍ଟ କରି କହିଛନ୍ତି, ଯାଚିକା ଖାରଜ କରିବାର ଅର୍ଥ ଏହା ନୁହେଁ ଯେ, ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ନିର୍ଣ୍ଣୟ ନିଆଯାଇଛି । କାରଣ ଏହି ମୁଦ୍ଦା ଦୀର୍ଘ ଦିନ ହେଲା ଏକ ସମ୍ବିଧାନିକ ପୀଠର ସହିତ ଜଡ଼ିତ ରହିଛି । ତେଣୁ ଏଭଳି ନିର୍ଣ୍ଣୟ ନିଆଯାଇଛି ବୋଲି ଖଣ୍ଡପୀଠ କହିଥିଲେ । ଜାମ୍ମୁ-କାଶ୍ମୀର ସୀମା ନିର୍ଦ୍ଦେଶ ଆୟୋଗଙ୍କ ଫାଇନାଲ୍ ରିପୋର୍ଟ ଅନୁଯାୟୀ, ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ ପରେ ବିଧାନସଭା ସିଟ୍ ସଂଖ୍ୟା ୮୩ରୁ ବୃଦ୍ଧି ପାଇ ୯୦ ଆସନ ହୋଇଯିବ । ସେହିପରି ଲୋକସଭା ଆସନ ସଂଖ୍ୟା ୫କୁ ବୃଦ୍ଧି ପାଇବ ।

ଆବେଦନକାରୀ ସୁପ୍ରିମକୋର୍ଟ କୋର୍ଟରେ ତର୍କ ରଖିଥିଲେ, ଜାମ୍ମୁ-କାଶ୍ମୀରର ସଂସଦୀୟ କ୍ଷେତ୍ରର ପରିସୀମା ଚିହ୍ନଟ କରିବା ସମ୍ବିଧାନର ନିୟମକୁ ସିଧା ଉଲ୍ଲଙ୍ଘନ କରିବା ସହିତ ସମାନ । ବିଶେଷ କରି ଧାରା ୧୭୦ (୩) ଅନୁଯାୟୀ, ୨୦୨୬ ପରେ ପ୍ରଥମ ଜନଗଣନା ପର୍ଯ୍ୟନ୍ତ ସୀମା ନିର୍ଦ୍ଦାରଣ କରିବା ଅବଶ୍ୟକ । ଏହା ସହିତ ସେ କହିଛନ୍ତି, ୨୦୦୮ରେ ଜାମ୍ମୁ-କାଶ୍ମୀର ପରିସୀମା ଚିହ୍ନଟ ପାଇଁ ଆଦେଶ ପାରିତ ହୋଇଥିଲା । ସଂସଦୀୟ କ୍ଷେତ୍ରର ପରିସୀମା ଚିହ୍ନଟ କରିବା କାର୍ଯ୍ୟ କେବଳ ନିର୍ବାଚନ ଆୟୋଗଙ୍କର, ହେଲେ ଏଠାରେ ସୀମା ନିର୍ଦ୍ଧାରଣ ଆୟୋଗ ଏହି କାମ କରୁଛନ୍ତି, ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଆବେଦନକାରୀ ।

Related Posts