ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦକୁ ନେଇ ବିଜେଡି ରାଜନୀତି ନ କରୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କୋଭିଡ ସମୟରେ ଦିଆଯାଇଥିବା ରିଲିଫକୁ ନେଇ ରାଜନୀତି କରାନଯାଉ। ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏହି ପରିସ୍ଥିତିରୁ ନଜର ହଟାଇବା ପାଇଁ ବିଜେଡି ଏହି ସୁଆଙ୍ଗ କରୁଛି। ବିଜେଡି ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ କରୁଛି। ଧାନ ସଂଗ୍ରହରେ କେନ୍ଦ୍ର ସରକାର ଯେତେ ପଇସା ଦେଉଛନ୍ତି, ତାକୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇ ପାରିନାହାନ୍ତି ବୋଲି ଗୋଲକ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଜେଡି ସରକାର ଚାଷୀଙ୍କୁ ପ୍ରତାରିତ କରିଛି। କଥାରେ ଅଛି ଚୋର ମଚାଏ ସୋର। ବିଜେଡି ହେଉଛି ସେହି ଦଳ। ୨୦୦୮ରେ କେନ୍ଦ୍ର ସରକାର ୩୫ କେଜି ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ୧୦ କେଜି ଚାଉଳ କାଟି ୨୫ କେଜି ଚାଉଳ ଦେଉଥିଲେ। ବିଜେଡି ଦଳ ମିଥ୍ୟା ପ୍ରବଳ। କରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରେ ଲୋକଙ୍କୁ ଅର୍ଥ ପ୍ରଦାନ କରିଥିଲେ। ୩ କୋଟି ୨୫ ଲକ୍ଷଙ୍କୁ ଚାଉଳ ଡାଲି ଦେଇଥିଲେ। ମୋଦୀ ସରକାର ଗରିବର ବନ୍ଧୁ। ରାଜ୍ୟ ସରକାର କଣ କରିଥିଲେ କହି ପାରିବେ। କରୋନା ସମୟରେ ସରକାର ମାଗଣାରେ ୫ କେଜି ଚାଉଳ, ୧ କିଲୋ ଡାଲି ଦେଉଥିଲେ। ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା। କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା। ଏବେ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି। ତେଣୁ ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି ଓ ମିଥ୍ୟାର ଆଶ୍ରୟ ନେଉଛି। ଏଥିପାଇଁ ୮୪୦୦ କୋଟି ଖର୍ଚ୍ଚ ହେଉଛ। ରାଜ୍ୟର ୧୨୩୫ କୋଟି ବଞ୍ଚି ଯାଉଛି। ରାଜ୍ୟ ତା ନିଜ ଯୋଜନା ପାଇଁ ମାତ୍ର ୧୮୫ କୋଟି ଦେଉଛି। ବିଜେଡି କେବଳ ସୁଆଙ୍ଗ କରୁଛି ବୋଲି ଗୋଲକ କହିଛନ୍ତି।