ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆ ନିଜ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି। ପୂର୍ବରୁ ସେ ଏକ ଅଫିମ ଜବତ ଘଟଣାରେ ଅଭିଯୁକ୍ତକୁ ହେରଫେର କରି ପୁଣି ଗିରଫ କରିବା ଘଟଣାରେ ସ୍ଥାନୀୟ ଲୋକ ତାଙ୍କୁ ଅଟକ ରଖିଥିବା ସହିତ ମାଡ଼ ମାରିଥିଲେ। ଏହି ଘଟଣାର ତଦନ୍ତ ଅବକାରୀ କମିସନର ଆଶିଷ ସିଂ ତଦନ୍ତ କରୁଥିଲେ। ପରେ ଆଜି ଅବକାରୀ ନିର୍ଦ୍ଦେଶକ ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ କମିସନର ଶ୍ରୀ ସିଂ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଗତ ୯ ତାରିଖ ଦିନ ଜାତୀୟ ରାଜପଥ ଅମର୍ଦ୍ଦାରୋଡ ନିକଟରୁ ରାମକୃଷ୍ଣ ଜେନା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା ବସ୍ତା, ଜଳେଶ୍ଵର, ବାଲିଆପାଳ ଓ ସାଟେଲାଇଟ୍ ଅବକାରୀ ପୁଲିସ। ପରେ ଏହି ମାମଲାକୁ ଚାପି ଦେବା ପାଇଁ ବସ୍ତା ଅବକାରୀ ଅଧିକାରୀ ଶ୍ରୀ ମହାନନ୍ଦୀଆ ରାମକୃଷ୍ଣଙ୍କୁ ଛାଡ଼ି ବସ୍ତାର ତାପଣ୍ଡା ଗ୍ରାମର ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ଏହି ଖବର ସହିତ ରାମକୃଷ୍ଣ ଜେନା ଓ ଅବକାରୀ ଅଧିକାରୀ ଜବତ ଅଫିମ ସହିତ ଏକ ଫଟୋ ବାହାରେ ଭାଇରାଲ ହେବାପରେ ପୁଣି ସନ୍ଧ୍ୟାରେ ବସ୍ତା ଓ ବାଲିଆପାଳ ଅବକାରୀ ଥାନା ଅଧିକାରୀ ରାମକୃଷ୍ଣଙ୍କୁ ଗିରଫ ପାଇଁ ଗୁତଡିହା ଘରେ ଚଢ଼ାଉ କରିଥିବା ବେଳେ ଲୋକଙ୍କ ରୋଷର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ବସ୍ତା ଓ ବାଲିଆପାଳ ଅବକାରୀ ଥାନା ଅଧିକାରୀଙ୍କୁ ଅଟକ ରଖିଥିବା ବେଳେ ମାଡ଼ ମାରିଥିଲେ। ଏହି ଘଟଣାରେ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।
