
ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ସିଆରପିସି ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ଗୋପାଳଙ୍କୁ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା ।ସେଠାରେ ଗୋପାଳର ସିଆରପିସି ଧାରା ୧୬୪ରେ ବୟାନ ରେକର୍ଡ ପରେ ଜେଏମ୍ଏଫ୍ସି କୋର୍ଟରୁ ସବଜେଲ୍ ନିଆ ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଝାରସୁଗୁଡ଼ାରେ ନ ରଖି ଚୌଦ୍ୱାର ଜେଲ୍କୁ ପଠାଯିବ ବୋଲି ସୂଚନା ରହିଛି । ମାତ୍ର କେବେ ଗୋପାଳକୁ ଚୌଦ୍ୱାର ଜେଲ୍କୁ ନିଆଯିବ ତାହା ଜଣାପଡ଼ି ନାହିଁ । ଚୌଦ୍ବାର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୋଲିସ।
ତେବେ ନବ ଦାସ ହତ୍ୟାକାଣ୍ଡକୁ ଆଜିକୁ ୧୬ ଦିନ ପୂରିଛି । ତଦନ୍ତକାରୀ ସଂସ୍ଥା ୩ଟି ଦଫାରେ ମୋଟ ୧୨ ଦିନ ରିମାଣ୍ଡ୍ରେ ନେଇ ଗୋପାଳକୁ ଜେରା କରିଛି । ପଲିଗ୍ରାଫ୍, ନାର୍କୋ ଟେଷ୍ଟ୍ଠାରୁ ଆରମ୍ଭ କରି ସାଇଣ୍ଟିଫିକ୍, ବାଲାଷ୍ଟିକ୍ ଟେଷ୍ଟ୍ ଏବଂ ଫରେନସିକ୍ ସାଇକୋଲଜିକାଲ୍ ଆସେସମେଣ୍ଟ୍ ସହ ଏଲ୍ଭିଏ (ଲୋୟାର୍ଡ ଭଏସ୍ ଆନାଲିସିସ୍) କରାଯାଇଛି । ଆରମ୍ଭରୁ ଗୋପାଳ ନିଜର ଦୋଷ ମାନି ନେବା ସହ ସେ ନିଜ ବନ୍ଧୁକରୁ ଗୁଳି କରି ହତ୍ୟା କରିଛି ବୋଲି ବୟାନ ଦେଇସାରିଛି । ମାତ୍ର ପୁଲିସ ଆଗରେ ଦେଇଥିବା ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନ ଥିବାରୁ ପୁଲିସ ଅନ୍ୟ ମାଧ୍ୟମ ସହାୟତାରେ ତଦନ୍ତ କରିବା ସହ ହତ୍ୟା ସମ୍ପର୍କିତ ସମସ୍ତ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି । ଗୋପାଳର ପୋଷାକରେ ଲାଗିଥିବା ବାରୁଦ ଓ ଜବତ ବନ୍ଧୁକର ବାରୁଦ, ଫିଙ୍ଗର ପ୍ରିଣ୍ଟ୍ ଆଦିକୁ ନେଇ ସାଇଣ୍ଟିଫିକ୍ ଏବଂ ବାଲାଷ୍ଟିକ୍ ରିପୋର୍ଟ ମେଳ ଖାଇଲେ ଯାଇ ଗୋପାଳ ଦୋଷୀ ସାବ୍ୟସ୍ତ ହେବାରେ ସହାୟକ ହେବ । ନଚେତ୍ ତାହା ଗୋପାଳକୁ କୋର୍ଟରେ ଦଣ୍ଡିତ ହେବାରୁ ବଞ୍ଚାଇଦେବ ବୋଲି ଆଇନ ବିଶାରଦ ମତ ଦେଇଛନ୍ତି। ହେଲେ ନାର୍କୋ ଟେଷ୍ଟ୍ ରିପୋର୍ଟ କ’ଣ ରହିଛି, ଗୋପାଳ ତା’ର ବୟାନରେ କ’ଣ କହିଛି, ତାହା ଆସନ୍ତା ସପ୍ତାହରେ ହିଁ ଜଣାପଡ଼ିବ । ଗୋପାଳର ନାର୍କୋ ଟେଷ୍ଟ୍ ରିପୋର୍ଟ ସିଧାସଳଖ ବନ୍ଦ ଲଫାଫାରେ ସିଡି ଆକାରରେ କୋର୍ଟରେ ଦାଖଲ ହେବ ବୋଲି ଜଣାପଡ଼ିଛି ।