ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଭାରତ ଆସିବ ଆଉ ୧୨ଟି ଚିତା ବାଘ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ଫେବୃୟାରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ୮,୨୫୦ କିମି ଅତିକ୍ରମ କରି ଚିତାଗୁଡ଼ିକ ଭାରତ ମାଟିରେ ପହଞ୍ଚିବେ । ଏଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ଦେଶରେ ମୋଟ ଚିତା ସଂଖ୍ୟା ୨୦ରେ ପହଞ୍ଚିବ। ପୂର୍ବରୁ ନାମିବ୍ୟାରୁ ଭାରତକୁ ୮ଟି ଚିତା ଆସିଥିଲେ।
ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାର ଗୁଏଟେଙ୍ଗସ୍ଥିତ ଓ.ଆର. ଟାମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭାରତୀୟ ବାୟୁସେନାର ପରିବହନକାରୀ ବିମାନ ଯୋଗେ ୭ଟି ଅଣ୍ଡିରା ଓ ୫ ମାଈ ଚିତାବାଘ ଭାରତ ଆସିବେ । ଶୁକ୍ରବାର ସନ୍ଧ୍ୟାରେ ଚିତାମାନେ ନୂଆ ଠିକଣା ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଚିତାଗୁଡ଼ିକ ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ୱାଲିଅରସ୍ଥିତ ବାୟୁସେନା ଘାଟିରେ ପହଞ୍ଚିବେ । ୩୦ ମିନିଟ୍ ପରେ ହେଲିକପ୍ଟର ଯୋଗେ ପ୍ରାୟ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲାର କୁନୋ ପାର୍କରେ ପହଞ୍ଚାଇ ଦିଆଯିବ ।
କୁନୋ ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ଉତ୍ତମ ଶର୍ମାଙ୍କ କହିବା ଅନୁସାରେ ଦକ୍ଷିଣ ଆଫ୍ରିକାରୁ ଆସିବାକୁ ଥିବା ୧୨ ଚିତା ପାଇଁ ୧୦ଟି ଏନକ୍ଲୋଜର ସ୍ଥାପନ କରାଯାଇଛି । ଦୁଇଟି ଏନକ୍ଲୋଜରରେ ଦୁଇଯୋଡ଼ା ଚିତାକୁ ରଖାଯିବ । ଏମାନେ ଗୋଟିଏ ମାଆଚିତା ଗର୍ଭରୁ ଜନ୍ମ ନେଇଥିବାରୁ ପରସ୍ପରକୁ ଭଲ ଭାବେ ଜାଣିଛନ୍ତି । ତେଣୁ ଏକାଠି ରଖାଯିବା ଦ୍ୱାରା ଏମାନେ ପରସ୍ପରର କ୍ଷତି କରିବେ ନାହିଁ । ଶନିବାର ଚିତାଗୁଡ଼ିକୁ ଗ୍ରହଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଅଧିକାରୀଙ୍କ ମୁତାବକ ଦକ୍ଷିଣ ଆଫ୍ରିକାରୁ ଏକ ପ୍ରତିନିଧି ମଣ୍ଡଳୀ ଗତବର୍ଷ ସେପ୍ଟେମ୍ବରରେ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିଥିଲା । ଏହି ସମୟରେ ସେମାନେ ଜାତୀୟ ଉଦ୍ୟାନରେ ଚିତାଙ୍କ ଲାଗି ରହିବା ସ୍ଥାନକୁ ପରଖିଥିଲେ । ଚିତାଗୁଡ଼ିକର ସ୍ଥାନାନ୍ତରଣ ସକାଶେ ଗତମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଦକ୍ଷିଣ ଆଫ୍ରିକା ଏହି ଚିତାଗୁଡ଼ିକୁ ଦାନ କରିଥିବା ଜଣାପଡ଼ିଛି। ତେବେ ସ୍ଥାନାନ୍ତରଣ ପୂର୍ବରୁ ଗୋଟିଏ ଚିତାକୁ ଧରିବା ପାଇଁ ୩,୦୦୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ । ଆଗାମୀ ୧୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ୧୦୦ ଚିତା ଦେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୭୨ତମ ଜନ୍ମଦିନ ଅବସରରେ କୁନୋ ଜାତୀୟ ଉଦ୍ୟାନରେ ୮ଟି ଚିତା ଛାଡ଼ିଥିଲେ । ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ଏଗୁଡ଼ିକ ଆସିଥିଲା । ୭୦ ବର୍ଷ ପରେ ଭାରତ ମାଟିରେ ଚିତା ଦେଖିବାକୁ ମିଳିଥିଲା । ଚିତାଗୁଡ଼ିକୁ ପ୍ରଥମେ ୩୦ ଦିନ ପାଇଁ ସଙ୍ଗରୋଧ କରାଯାଇଥିଲା । ଏହାପରେ ମୁକ୍ତ କରାଯାଇଥିଲା । କିଛିଦିନ ପରେ ସେମାନେ ନୂଆ ବାତାବରଣ ସହ ନିଜକୁ ଖାପ୍ ଖୁଆଇବାରେ ସମର୍ଥ ହୋଇଥିଲେ । ଫଳରେ ସେମାନଙ୍କୁ ଏନକ୍ଲୋଜର ମଧ୍ୟରେ ଛଡ଼ାଯାଇଥିଲା ।





