ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ପୁଣି ବିବାଦରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଗତକାଲି ମହିଳା ପୁଲିସ ଅଧିକାରୀ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତେବେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରିଛି। ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର କରିବା ସହିତ ଜୟନାରାୟଣ ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରି ଧାରଣା ଦେଇଛନ୍ତି ବିଜୁ ମହିଳା ଜନତା ଦଳର କର୍ମୀ।

ସୂଚନା ଅନୁସାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ଗତକାଲି ପ୍ରତିବାଦ କରୁଥିଲା ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୟନାରାୟଣ ମିଶ୍ର। ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୁଲିସ। ଆନ୍ଦୋଳନକାରୀଙ୍କୁ ପୁଲିସ ରୋକିବା ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିଥିବା ଦେଖିବାକୁ ମିଳିଥିଲା। ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିଥିବା ଜୟନାରାୟଣ ଚର୍ଚ୍ଚା ଜୋର ଧରିଥିଲା।

ଜୟନାରାୟରଣ ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା କଥା ଚର୍ଚ୍ଚା ହେଉଥିବାବେଳେ ସେ କହିଥିଲେ, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ। ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ। କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ। ସେ ଆଇଆଇସି ଜଣକ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ। ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଥିଲେ ବୋଲି ଜୟନାରାୟଣ ମିଶ୍ର କହିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରୁଥିବା ସମୟରେ ଯଦି ପୁଲିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି। ତାହା ହେଲେ ପୁଲିସର ଆଚରଣ କିପରି ହୋଇଥାଇପାରେ ତାହା ଅନୁମାନ କରନ୍ତୁ ବୋଲି ଜୟନାରାୟଣ ମିଶ୍ର କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ପ୍ରଥମେ ପୁଲିସ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ। ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଲେ। ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି। ଓଡ଼ିଶା ପୁଲିସ ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସାରିଛି। ମୁଁ ଯାହା କହୁଛି ତାଙ୍କୁ ବାଧୁଛି। ମୁଁ ତାଙ୍କୁ ଚିହ୍ନିନାହିଁ, ସେ ମୋତେ ଧକ୍କା ମାରିବା ପରେ ମୁଁ ଜାଣିଲି ବୋଲି କହିଥିଲେ ଜୟନାରାୟଣ ମିଶ୍ର।

ଅନ୍ୟପଟେ ଧନୁପାଲି ଆଇଆଇସି ଅନୀତା ପ୍ରଧାନ ମଧ୍ୟ ତାଙ୍କୁ ମାଡ ମାରିବା ଅଭିଯୋଗରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କୁ ଜୟ ନାରାୟଣ ମିଶ୍ର ଠେଲାପେଲା କରି ଧକ୍କା ଦେଇଥିଲେ ଏବଂ ଚାପୁଡ଼ା ମାରିଥିବାର ସେ ଅଭିଯୋଗ କରିଛନ୍ତି । ଏନେଇ ଜୟ ନାରାୟଣ ମିଶ୍ରଙ୍କ ନାଁରେ ୩୫୩, ୩୩୨, ୩୫୪, ୨୯୪, ୫୦୦, ୩୪୧ ଓ ୫୦୬ ଭଳି ସଂଗୀନ ଦଫା ଲାଗିଥିବା ସୂଚନା ମିଳିଛି ।