ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ବୁଧବାର ଫେବୃଆରୀ ୨୨ ତାରିଖରେ ହେବ ଦିଲ୍ଲୀ ମହାନଗର ନିଗମ (ଏମସିଡି) ମେୟର ନିର୍ବାଚନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ପ୍ରସ୍ତାବକୁ ସ୍ୱୀକାର କଲେ ଉପରାଜ୍ୟପାଳ ଭି.କେ ସକ୍ସେନା। ଫେବ୍ରୁଆରୀ ୨୨ ତାରିଖରେ ମେୟର ନିର୍ବାଚନ କରାଇବାକୁ ଉପରାଜ୍ୟପାଳ ଶ୍ରୀ ସକ୍ସେନାଙ୍କ ପାଖକୁ ଚିଠି ଲେଖିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।ଉପରାଜ୍ୟପାଳ କେଜରିୱାଲ୍ଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଦିଲ୍ଲୀ ମେୟର ନର୍ବାଚନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। କୋର୍ଟ ରାୟ ଆପ୍ ସପକ୍ଷରେ ଯାଇଥିଲା। କୋର୍ଟ ତାଙ୍କ ରାୟରେ ଉପରାଜ୍ୟପାଳଙ୍କ ମନୋନୀତ ସଦସ୍ୟାମାନେ ଭୋଟ୍ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। କେବଳ ନିର୍ବାଚିତ ପ୍ରତିନିଧି ହିଁ ମେୟର ନିର୍ବାଚନରେ ଭୋଟ ଦେବେ। ମେୟର ନିର୍ବାଚନ ସରିବା ପରେ ନିର୍ବାଚିତ ମେୟର, ଡେପୁଟି ମେୟର ଓ ଅନ୍ୟ ପଦବି ପାଇଁ ନିର୍ବାଚନ କରାଇବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ତେବେ ପୂର୍ବରୁ ମନୋନୀତ ସଦସ୍ୟ ଭେଟ ଦେବାକୁ ନେଇ ହଟ୍ଟଗୋଳ ଯୋଗୁଁ ୩ଥର ମେୟର ନିର୍ବାଚନ ସ୍ଥଗିତ ରହି ସାରିଛି।





