
ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ଘାନାର ଫୁଟବଲର ତଥା ନ୍ୟୁ କ୍ୟାସଲ ୟୁନାଇଟେଡର ପୂର୍ବତନ ମିଡ୍ ଫିଲ୍ଡର କ୍ରିଷ୍ଟିଆନ ଆଟ୍ସୁଙ୍କର ତୁର୍କି ଭୂ-କମ୍ପରେ ମୃତ୍ୟୁ ହୋଇଛି। ତାଙ୍କ ମ୍ୟାନେଜରଙ୍କ ଜରିଆରେ ସ୍ଥାନୀୟ ଗଣମାଧ୍ୟମ ଶନିବାର ପ୍ରକାଶ କରିଛି ଯେ, କ୍ରିଷ୍ଟିଆନ ଆଟ୍ସୁଙ୍କର ମୃତଦେହ ତାଙ୍କ ଘରର ଭଗ୍ନାବଶେଷ ତଳୁ ମିଳିଛି।
ତାଙ୍କ ମ୍ୟାନେଜର ମୁରତ୍ ଉଜୁନମେହମେଟ ଶନିବାର ଡିଏଚଏ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ମୃତଦେହ ତୁର୍କିର ଦକ୍ଷିଣ ପ୍ରାନ୍ତରେ ଥିବା ତାଙ୍କ ଘରର ଭଗ୍ନାବଶେଷ ତଳୁ ମିଳିଥିଲା। ଆଟ୍ସୁଙ୍କ ମ୍ୟାନେଜର ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ଆଟ୍ସୁଙ୍କର ଅନେକ କିଛି ସାମଗ୍ରୀକୁ ଖୋଜି ବାହାର କରାଯାଉଛି। ଏମିତିକି ତାଙ୍କ ମୋବାଇଲ ମଧ୍ୟ ମିଳିଥିବା କୁହାଯାଉଛି।
ଘାନାର ଫୁଟବଲ ଏଜେଣ୍ଟ ନାନା ସେଚେର ଟ୍ବିଟ କରି କହିଛନ୍ତି ଯେ, ମତେ ଦୁଃଖର ସହିତ ସମସ୍ତ ପ୍ରଶଂସକଙ୍କୂ ଜଣାଇବାକୁ ପଡ଼ୁଛି ଯେ, ଭଗ୍ନାବଶେଷ ତଳୁ ଆଟ୍ସୁଙ୍କର ମୃତଦହ ମିିଳିଛି। ତାଙ୍କ ପରିବାର ଓ ପ୍ରିୟଜନଙ୍କୁ ମୁଁ ସମବେଦନା ଜଣାଉଛି। ତେବେ ଏହା ପୂର୍ବରୁ ଅର୍ଥାତ୍ ୧୪ ଫେବୃଆରୀରେ ସେଚେରେ ଟ୍ବିଟ କରି କହିଥିଲେ ଯେ, ୯ଦିନ ହେଲା ଆଟ୍ସୁଙ୍କର କୌଣସି ଖୋଜଖବର ମିଳିପାରିନାହିଁ।