ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): କୋଇଲା ଟିକସ ଦୁର୍ନୀତି ମାମଲାରେ ଆଜି ସକାଳୁ ଛତିଶଗଡର ବିଭିନ୍ନ ସ୍ଥାନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ରେଡ୍ ଛତିଶଗଡ଼ର ଅନେକ କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘନିଷ୍ଠ ସହଯୋଗୀମାନଙ୍କ ଘରେ କରାଯାଉଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏବଂ ପୱନ ଖେରା ବିଜେପି ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ, ସୋମବାର ସକାଳ ୫ ଟାରୁ ବହୁ କଂଗ୍ରେସ ନେତାଙ୍କ ଘରେ ଇଡି ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ ଅଧୀନରେ ଇଡିର ଏକ ନୂତନ ନାମ ଏବଂ ଏକ ନୂତନ କାର୍ଯ୍ୟ ରହିଛି ତାହା ହେଉଛି ଗଣତନ୍ତ୍ରକୁ ହଟାଇବା। ପୱନ ଖେରା କହିଛନ୍ତି ଯେ ୨୦୦୪-୧୪ ବର୍ଷ ମଧ୍ୟରେ ଇଡି ୧୧୨ ଟି ଚଢ଼ାଉ କରିଥିଲା। ଯାହା ମୋଦି ସରକାରଙ୍କ ୮ ବର୍ଷରେ ୮ ହଜାରକୁ ବୃଦ୍ଧି ପାଇଛି।
କଂଗ୍ରେସ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ ସମୟରେ ଇଡି ଦ୍ୱାରା ୯୫ ପ୍ରତିଶତ ରାଜନେତାଙ୍କୁ ପଚରାଉଚରା କରାଯାଇଛି। ଯେତେବେଳେ ଭାଜପା ଭୟଭୀତ ହୋଇଛି, ଏହା ଇଡିକୁ ଆଗକୁ ବଢ଼ାଇ ବିରୋଧୀଙ୍କ ଉପରେ ଚଢାଉ କରିଛି। ଇଡି ନ୍ୟାଶନାଲ ହେରାଲ୍ଡ ଉପରେ ଚଢ଼ାଉ କରିଥିଲା। ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟାରୁ ଅଧିକ ସମୟ ଧରି ଇଡି ପଚରାଉଚରା କରିଥିଲା। ସୋନିଆ ଗାନ୍ଧୀଙ୍କୁ ୩ ଦିନ ପଚରାଉଚରା କରାଯାଇଥିଲା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୭ ଘଣ୍ଟା ପଚରାଉଚରା କରାଯାଇଥିଲା କଣ ଫଳ ମିଳିଲା। ସେହିଭଳି ଭାରତ ଯୋଡୋ ଯାତ୍ରା ପରେ ବର୍ତ୍ତମାନ ଛତିଶଗଡରେ ଆମର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଛତିଶଗଡର କଂଗ୍ରେସ ନେତାଙ୍କ ଉପରେ ମୋଦି ସରକାରଙ୍କ ନିର୍ଦ୍ଦେଶରେ ଇଡି ଚଢ଼ାଉ କରାଯାଉଛି। ଜୟରାମ ରମେଶ କହିଛନ୍ତି ଯେ, ଏହା ଦେଶରେ ଅମୃତକାଳ ନୁହେଁ, ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି।
ସୂଚନାଯୋଗ୍ୟ, ଫେବୃଆରୀ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ରାଜଧାନୀ ରାୟପୁରରେ କଂଗ୍ରେସର ତିନି ଦିନିଆ ସର୍ବଦଳୀୟ ଅଧିବେଶନ ପୂର୍ବରୁ ଏହି ଚଢ଼ାଉ ହୋଇଛି।





