ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଫେବୃଆରୀ ୨୬ରେ ହଜାର ହେବାକୁ ସିସୋଦିଆଙ୍କୁ ପୁଣି ସମନ ଜାରି କଲା ସିବିଆଇ

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସମନ ଜାରି କରିଛି ସିବିଆଇ। ଆସନ୍ତା ଫେବୃଆରୀ ୨୬ ତାରିଖରେ ପୁଣିଥରେ ହାଜର ହେବାକୁ ସୋମବାର ସମନ କରିଛି ସିବିଆଇ। ତେବେ ଏହା ପୂର୍ବରୁ ଶନିବାର ସିବିଆଇ ମନୀଷଙ୍କୁ ସମନ କରି ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା।ହେଲେ ବର୍ତ୍ତମାନ ସେ ଦିଲ୍ଲୀ ବଜେଟ୍ ପ୍ରସ୍ତୁତି କାମରେ ବ୍ୟସ୍ତ ଥିବାରୁ ତାଙ୍କୁ ଆଉ ସପ୍ତାହେ ସମୟ ଦିଆଯାଉ ବୋଲି ସିସୋଦିଆ ସିବିଆଇକୁ ଅନୁରୋଧ କରିଥିଲେ। ଏହାପରେ ସିବିଆଇ ମଧ୍ୟ ତାଙ୍କୁ ସପ୍ତାହେ ସମୟ ଦେଇ ଫେବୃଆରୀ ୨୬ରେ ପୁଣି ହଜାର ହେବାକୁ ନୂଆ ସମନ କରିଛି। ଏନେଇ ସିସୋଦିଆ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ତେବେ ଶନିବାର ସମନ ପରେ ମନୀଷ ଗିରଫ ହୋଇପାରନ୍ତି ବୋଲି ଗତକାଲି ସେ ନିଜେ ସୂଚନା ଦେଇଥିଲେ। ବିଜେପି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇପାରେ ବୋଲି ମନୀଷ ଅଭିଯୋଗ କରିଥିଲେ। ହେଲେ ପରେ ସିବିଆଇ ତାଙ୍କ ଅନୁରୋଧ ଗ୍ରହଣ କରିବାରୁ ତାଙ୍କ ଗିରଫଦାରୀ ସପ୍ତାହେ ଟଳିଲା ବୋଲି ଆପ୍ ନେତା ସୌରଭ ଭରଦ୍ୱାଜ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାରରେ ମନୀଷ ସିସୋଦିଆ ଅର୍ଥମନ୍ତ୍ରାଳୟର ଦାୟତ୍ୱ ସମ୍ଭାଳୁଛନ୍ତି। ଆଗକୁ ବଜେଟ୍ ଉପସ୍ଥାପନ ହେବାର ଅଛି। ତେଣୁ ସେ ବର୍ତ୍ତମାନ ଦିନ ରାତି ଏକ କରି ବଜେଟ୍ ପ୍ରସ୍ତୁତିରେ ଲାଗିଛନ୍ତି। ତେଣୁ ବଜେଟ୍ ନ ସରିବା ପର୍ଯ୍ୟନ୍ତ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ୍‌ ଦେଇଥିବା ବେଳେ ଏଥିରେ ସିସୋଦିଆଙ୍କ ନାଁ ନାହିଁ। ତଥାପି ଏକ ନୂଆ ପ୍ରମାଣ ମିଳିଥିବା କହି ସେ ବିଷୟରେ ପଚରାଉଚରା କରିବା ପାଇଁ ଶନିବାର ସିବିଆଇ ତାଙ୍କୁ ସମନ କରିଥିଲା। ଏହା ପୂର୍ବରୁ ମଧ୍ୟ ସିବିଆଇ ସିସୋଦିଆଙ୍କ ଘରେ ଚଢ଼ାଉ କରି ସାରିଛି। ତାଙ୍କ ଘର ଅଫିସ୍ ଓ ବ୍ୟାଙ୍କ ସବୁ ତଲାସ କରିସାରିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିପାରି ନାହିଁ।

ଶନିବାର ସମନ ଜାରି ହେବା ନେଇ ସିସୋଦିଆ କହିଥିଲେ ‘ମୁଁ ଗତକାଲି ସିବିଆଇ ନୋଟିସ୍ ପାଇଲି। ହେଲେ ବର୍ତ୍ତମାନ ମୁଁ ଦିଲ୍ଲୀ ବଜେଟ୍ ପ୍ରସ୍ତୁତିରେ ଦିନ ରାତି କାମ କରୁଛି। ବିଳମ୍ବ ନ କରିବାକୁ ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ। ତେବେ ମୁଁ ଗିରଫ ହେବାକୁ ଭୟ କରେ ନାହିଁ, କୌଣସି ପ୍ରଶ୍ନରୁ ବଞ୍ଚିବାକୁ ଚେଷ୍ଟା କରୁନାହିଁ। ଯଦି ବିଜେପି ମୋ ଉପରେ ପ୍ରତିଶୋଧ ନେଉଛି ନେଉ, ହେଲେ ଦିଲ୍ଲୀ ଲୋକଙ୍କ କାମରେ ବନ୍ଦ କରି ନୁହେଁ।’

ସୁପ୍ରିମକୋର୍ଟରେ ମେୟର ମାମଲା ହାରିବା ପରେ ବିଜେପିର ତାଙ୍କ ଉପରେ ରାଗ ସୁଝାଉଛି। ବିଜେପି ନିର୍ଦ୍ଦେଶରେ ତାଙ୍କୁ ସମନ କରାଯାଇଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ତେବେ ଏଜେନ୍ସି ଚାହିଁଲେ ତାଙ୍କୁ ଗିରଫ କରୁ, ହେଲେ ବେଜଟ୍‌ ଉପସ୍ଥାପନ କରିସାରିବା ପରେ ବୋଲି ସିସୋଦିଆ କହିଥିଲେ।

Related Posts