ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ବିପହରରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୁଳିକରି ହତ୍ୟା କଲେ। ଏହି ମାମଲାରେ ରାଜ୍ୟ ପୁଲିସକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଥିବା ବେଳେ ଏବେ ଆଉ ଜଣେ ପୁଲିସ କନେଷ୍ଟବଳଙ୍କ ପାଇଁ ବଢ଼ିଛି ପୁଲିସ ବିଭାଗର ମୁଣ୍ଡବିନ୍ଧା। ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସ। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ି ଯାଇଛନ୍ତି କନେଷ୍ଟବଳ ସରୋଜ ଦାସ ।ଏପରିକି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।
ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା କଳ୍ପନା ଦାସ ଓ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିକଟରେ ଜାମିନରେ ଖଲାସ ହୋଇଥିବା ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ଗତ ସପ୍ତାହରେ ଥାନାରେ କାର୍ଯ୍ୟରତ ଥିବା ବେଳେ ନିଶାସକ୍ତ ଅବସ୍ଥାରେ କନେଷ୍ଟବଳ ସରୋଜ ଦାସ ଅନୁପଙ୍କୁ ହତ୍ୟା କରିବେ ବୋଲି କୁଆଡେ କହିଥିଲେ। ଏହି ସୂଚନା ମିଳିବା ପରେ ସରୋଜ ଦାସକୁ ଗତ ଗୁରୁବାର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଝାରସୁଗୁଡା ଏସପି ଏସ ପରମାର କହିଛନ୍ତି। ତେବେ ଗୋପାଳ ଦାସଙ୍କ ପରେ ଏବେ ସରୋଜ ଦାସ ଝାରସୁଗୁଡ଼ା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛନ୍ତି।
ତେବେ ୨୦୧୬ ମସିହାରେ ଝାରସୁଗୁଡ଼ାରେ ହୋଇଥିବା ବହୁ ଚର୍ଚ୍ଚିତ ଡବଲ୍ ମର୍ଡର ଘଟଣାର ମୃତକ କଳ୍ପନା ଦାସ ଥିଲେ କନେଷ୍ଟବଳ ଶ୍ରୀ ଦାସଙ୍କ ସମ୍ପର୍କୀୟ ଭଉଣୀ। ସେହି ସମୟରେ ଛତିଶଗଡ଼ ଚକ୍ରଧରନଗର ପୁଲିସ୍ ପକ୍ଷରୁ ଜାରି କରାଯାଇଥିବା ଫଟୋ ଆଧାରରେ କନେଷ୍ଟବଳ ଶ୍ରୀ ଦାସ ହିଁ ଶବ ଚିହ୍ନଟ କରିଥିଲେ। ନିକଟରେ ଅନୁପ ସାଏ ଜାମିନରେ ଜେଲରୁ ବାହାରିଥିବା ବେଳେ ଉକ୍ତ ଘଟଣାର ପ୍ରତିଶୋଧ ନେବାକୁ ଯାଇ କନେଷ୍ଟବଳ ଥାନା ଭିତରେ ଏଭଳି କିଛି କହିଥିବା ଚର୍ଚ୍ଚା ହେଉଛି। ତେବେ କନେଷ୍ଟବଳ ଶ୍ରୀ ଦାସ ପ୍ରକୃତରେ ନିଶାସକ୍ତ ଅବସ୍ଥାରେ ଏଭଳି କିଛି କହିଥିଲେ ନା ଏହା ପଛରେ କିଛି ଷଡ୍ଯନ୍ତ୍ର ରହିଥିଲା ତାକୁ ନେଇ ଏବେ ପୁଲିସ୍ ବିଭାଗ ଛାନ୍ଭିନ୍ କରୁଛି।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଝାରସୁଗୁଡ଼ାରେ କଳ୍ପନା ଦାସ(୩୨) ଓ ଝିଅ ପ୍ରଭାତୀ ଦାସ (୧୪)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଉଭୟଙ୍କ ଶବକୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଏକ କୋଇଲା ବେଝେଇ ମାଲ୍ଗାଡ଼ିରେ ଫିଙ୍ଗି ଦିଆଯାଇଥିଲା। ଚକ୍ରଧରନଗର ପୁଲିସ୍ ଉଭୟଙ୍କ ଶବ ଜବତ କରିଥିଲେ ହେଁ ଉଭୟ ମୃତକଙ୍କର ମୃତଦେହ ଚିହ୍ନଟ ହୋଇପାରିନଥିଲା। ଏଥିପାଇଁ ଛତିଶଗଡ଼ ପୁଲିସ୍ ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରକୁ ଫଟୋ ପଠାଇଥିଲା। ଏହି ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଥିଲେ ଏପିଆର୍ କନେଷ୍ଟବଳ ସରୋଜ ଦାସ। ଚକ୍ରଧରନଗର ପୁଲିସ୍ ପଠାଇଥିବା ଫଟୋ ଦେଖି ଜାଣିପାରିଥିଲେ ତାହା ତାଙ୍କ ସମ୍ପର୍କୀୟ ଭଉଣୀ କଳ୍ପନା ଦାସ ବୋଲି। ଉକ୍ତ ଫଟୋ ନେଇ ସେ ନିଜ ପରିବାର ଲୋକଙ୍କୁ ବି ଦେଖାଇବା ପରେ ଥାନାରେ ସୂଚିତ କରିଥିଲେ। ବ୍ରଜରାଜନଗର ପୁଲିସ୍ର ସୂଚନା ଅନୁସାରେ, ଚକ୍ରଧରନଗର ପୁଲିସ୍ ବ୍ରଜରାଜନଗର ଆସି ଛାନ୍ଭିନ୍ ଆରମ୍ଭ କରିଥିଲା। ୨୦୧୯ ମସିହାରେ ପୁଲିସ୍ ଏହି ଘଟଣାରେ ଶାସକ ଦଳର ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା।
