ସତ୍ୟପାଠ | ନୂଆଦିଲ୍ଲୀ | ୨୬ ଅକ୍ଟୋବର ୨୦୨୬: ଭାରତର ଭୋଟର ତାଲିକା ପ୍ରସ୍ତୁତିରେ କେଉଁ ସଫ୍ଟୱେର୍ ବ୍ୟବହାର ହେଉଛି? କେଉଁ ଆଲଗୋରିଦମ୍ ଭୋଟରଙ୍କ ନାଁରେ ତ୍ରୁଟି ଚିହ୍ନଟ କରୁଛି? ଭୁଲ୍‌ରେ ଜଣେ ପ୍ରକୃତ ଭୋଟରଙ୍କ ନାଁ ସନ୍ଦେହଜନକ ଭାବେ ଚିହ୍ନଟ ହେଲେ ତାହାର ଦାୟୀ କିଏ?

ଏହି ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ଦେବା ପରିବର୍ତ୍ତେ ନିର୍ବାଚନ ଆୟୋଗ ଉଠାଇଛନ୍ତି ‘ଟ୍ରେଡ୍ ସିକ୍ରେଟ୍’ ବା ବ୍ୟବସାୟିକ ଗୋପନୀୟତାର ଯୁକ୍ତି।

ତେଲଙ୍ଗାନାର ସାମାଜିକ କର୍ମୀ ଏମ୍‌.ଏ. ମୁଜିବ୍ ଆୟୁବ୍‌ଙ୍କ RTI ଆବେଦନର ଅକ୍ଟୋବର ୧୬ ତାରିଖର ଉତ୍ତରରେ ଆୟୋଗ ସଫ୍ଟୱେର୍‌ର ନାଁ ଓ ଭର୍ସନ୍ ପ୍ରକାଶ କରିବାକୁ ମନା କରିଛନ୍ତି।

ଏଥିପାଇଁ ସୂଚନା ଅଧିକାର ଆଇନର ଧାରା ୮(୧)(ଡି) ଅନୁସାରେ ବ୍ୟବସାୟିକ ଗୋପନୀୟତା ଓ ବୌଦ୍ଧିକ ସମ୍ପତ୍ତି ଅଧିକାରର ଯୁକ୍ତି ଦିଆଯାଇଛି।

ଆୟୋଗ କହିଛନ୍ତି, SIR ପାଇଁ କୌଣସି ନୂଆ ସଫ୍ଟୱେର୍ ତିଆରି କିମ୍ବା କ୍ରୟ କରାଯାଇନାହିଁ। ଭୋଟରଙ୍କ ନାଁ ଯୋଡ଼ିବା କିମ୍ବା ବାଦ୍ ଦେବାର ଆଇନଗତ ନିଷ୍ପତ୍ତି ନିର୍ବାଚକ ପଞ୍ଜୀକରଣ ଅଧିକାରୀ ବା ERO ନିଅନ୍ତି।

କିନ୍ତୁ ସତ୍ୟପାଠର ପ୍ରଶ୍ନ—ସଫ୍ଟୱେର୍ ଯଦି ଭୁଲ୍ ତଥ୍ୟ ଚିହ୍ନଟ କରେ, ତେବେ EROଙ୍କ ନିଷ୍ପତ୍ତି କେତେ ନିର୍ଭୁଲ୍ ହେବ?

ଆବେଦନକାରୀ ଜାଣିବାକୁ ଚାହିଁଥିଲେ, ଭୋଟର ତାଲିକା ଯାଞ୍ଚରେ AI କିମ୍ବା ମେସିନ୍ ଲର୍ଣ୍ଣିଂ ବ୍ୟବହାର ହେଉଛି କି? ଭୁଲ୍‌ରେ ଭୋଟରଙ୍କ ନାଁ ଚିହ୍ନଟ ହେବାକୁ ରୋକିବା ପାଇଁ କି ବ୍ୟବସ୍ଥା ରହିଛି?

ଏହି ପ୍ରଶ୍ନଗୁଡ଼ିକୁ ଆୟୋଗ RTI ଆଇନର ଧାରା ୨(ଏଫ୍) ଅନୁସାରେ ସୂଚନା ନୁହେଁ, ବରଂ ସ୍ପଷ୍ଟୀକରଣ ମାଗିବା ବୋଲି ଦର୍ଶାଇଛନ୍ତି।

ଏହା ପୂର୍ବରୁ ନିର୍ବାଚନ ଆୟୋଗର ଦୁଇ ସଦସ୍ୟ SIR ପ୍ରକ୍ରିୟା ଓ ଡିଜିଟାଲ୍ ବ୍ୟବସ୍ଥା ସମ୍ପର୍କରେ ବାରମ୍ବାର ଆପତ୍ତି ଉଠାଇଥିବା ଖବର ପ୍ରକାଶ ପାଇଥିଲା। ଆୟୋଗ ଏହାକୁ ସ୍ୱାଭାବିକ ଆଭ୍ୟନ୍ତରୀଣ ମତଭେଦ ବୋଲି କହିଥିଲେ।

ଏବେ ମୂଳ ପ୍ରଶ୍ନ ହେଉଛି—ନିର୍ବାଚନ ଆୟୋଗର ସଫ୍ଟୱେର୍‌କୁ ସ୍ୱାଧୀନ ବିଶେଷଜ୍ଞ ଯାଞ୍ଚ କରିପାରିବେ କି?

ଗୋପନୀୟତା ରକ୍ଷା କରି ସ୍ୱାଧୀନ ଟେକ୍ନିକାଲ୍ ଅଡିଟ୍ କରାଯିବାରେ ବାଧା କ’ଣ? ଭୋଟର ତାଲିକାରେ ଭୁଲ୍ ଚିହ୍ନଟ ଓ ନାଁ ବାଦ୍ ଦେବାର ପ୍ରତ୍ୟେକ ପଦକ୍ଷେପର ଡିଜିଟାଲ୍ ରେକର୍ଡ ରହୁଛି କି?

ସଫ୍ଟୱେର୍‌ର ଗୋପନୀୟତା ରହିପାରେ। କିନ୍ତୁ ଭୋଟରଙ୍କ ଅଧିକାର ଓ ନିର୍ବାଚନର ବିଶ୍ୱସନୀୟତା ଗୋପନୀୟତା ପଛରେ ଲୁଚି ରହିପାରିବ ନାହିଁ।

ଭାରତର ଗଣତନ୍ତ୍ରରେ ଭୋଟରଙ୍କୁ ନିଜ ପରିଚୟ ପ୍ରମାଣ କରିବାକୁ ପଡ଼ୁଛି।

ତେବେ ଭୋଟରଙ୍କ ନାଁ ଯାଞ୍ଚ କରୁଥିବା ସଫ୍ଟୱେର୍‌ର ବିଶ୍ୱସନୀୟତା ପ୍ରମାଣ କରିବ କିଏ?