‘ଆପଣଙ୍କ ଦେଶରେ ବୁଲୁଛନ୍ତି ୨୬/୧୧ ଆକ୍ରମଣକାରୀ’: ଲାହୋରରେ ବସି ପାକିସ୍ତାନକୁ ଆଇନା ଦେଖାଇଲେ ଜାଭେଦ ଅଖତର

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ପ୍ରସିଦ୍ଧ ଗୀତିକାର, କବି ତଥା ସଂଳାପ ଲେଖକ ଜାଭେଦ ଅଖତର ପାକିସ୍ତାନକୁ ଦେଖାଇଛନ୍ତି ଆଇନା। ଜାଭେଦଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ୨୬/୧୧ ଆକ୍ରମଣକାରୀ ପାକିସ୍ତାନରେ ବୁଲୁଛନ୍ତି ବୋଲି କହିଛନ୍ତି। ଜାଭେଦ ନିକଟରେ ଫେଜ୍ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ, ଯାହାକୁ ଅହ୍ଲମରା ଆର୍ଟ୍ସ କାଉନସିଲ ଲାହୋରରେ ଆୟୋଜିତ କରିଥିଲା ଓ ଏହାର ସମାପନ ରବିବାର ହୋଇଛି। ପାକିସ୍ତାନରେ ଯାଇ ସେ ଏଭଳି କହିଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି।

ଭାଇରାଲ ଭିଡିଓରେ ଜାଭେଦ ଅଖତର ଦୁଇ ଦେଶ ଭିତରେ ବିବାଦ କମ୍ କରିବା ନେଇ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛନ୍ତି। ସେଠାରେ ଥିବା ଲୋକଙ୍କୁ ସେ କହୁଛନ୍ତି ଯେ, ଭାରତୀୟଙ୍କ ହୃଦୟରେ ଅସନ୍ତୋଷ ରହିଛି। ଆମକୁ ପରସ୍ପର ଉପରେ ଅଭିଯୋଗ କରିବା ଉଚିତ ନୁହେଁ। ଏହାଦ୍ବାରା କିଛି ହାସଲ ହେବନି। ସ୍ଥିତି ଗରମ ରହିଛି, ତାକୁ ଠିକ୍ କରିବା ଦରକାର। ଆମେ ମୁମ୍ବାଇର ଲୋକ, ଆମେ ନିଜ ସହରରେ ଆକ୍ରମଣ ଦେଖୁଛୁ। ଆକ୍ରମଣକାରୀ ନର​ଓ୍ବେ​‌ କିମ୍ବା ଇଜିପ୍ଟରୁ ଆସିନଥିଲେ। ଏବେ ସେହି ଲୋକ ଏବେବି ଆପଣଙ୍କ ଦେଶରେ ବୁଲୁଛନ୍ତି। ତେଣୁ ଯଦି ଏହି ଅଭିଯୋଗ ଭାରତୀୟଙ୍କ ହୃଦୟରେ ରୁହେ, ତେବେ ଆପଣଙ୍କୁ ଖରାପ ଭାବିବା ଉଚିତ ନୁହେଁ।

କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ କଳାକାରଙ୍କୁ ପାକିସ୍ତାନରେ ସେଭଳି ସମ୍ମାନ ମିଳେନି, ଯେପରି ସମ୍ମାନ ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କୁ ଦିଆଯାଏ। ଯେତେବେଳେ ଫୈଜ ସାହେବ ଆସିଥିଲେ, ତାଙ୍କର ସ୍ବାଗତ ବଡ ବଡ ଲୋକମାନେ ସ୍ବାଗତ କରିଥାନ୍ତି। ସବୁ ସ୍ଥାନରେ ଏହାର ପ୍ରସାରଣ ମଧ୍ୟ କରାଯାଇଥିଲା। ଆମେ ନୁସରତ ଫତେହ ଅଲ୍ଲୀ ଖାନ୍‌ ଓ ମେହେନ୍ଦି ହସନଙ୍କ ପାଇଁ ବଡ ବଡ ଫଙ୍କସନ୍ କରିଥିଲୁ, କିନ୍ତୁ ଆପଣ(ପାକିସ୍ତାନରେ) କେବେ ଲତା ମଞ୍ଜେସକରଙ୍କ କୌଣସି ଫଙ୍କସନ୍ କରିନାହାନ୍ତି।’

ଜାଭେଦ ଅଖତରଙ୍କ ଏହି ଭିଡିଓ ଏବେ ଖୁବ୍ ସେୟାର କରାଯାଉଛି। ଲୋକମାନେ ଏହାକୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆରେ କିଛି ୟୁଜର ଏହାକୁ ପାକିସ୍ତାନ ଉପରେ ‘ସର୍ଜିକାଲ ଷ୍ଟ୍ରାଇକ୍’ ବୋଲି କହୁଛନ୍ତି। ଜାଭେଦ ଅଖତର ପାକିସ୍ତାନରେ​‌ ଦେଇଥିବା ଏଭଳି ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗାନା ରାନାଓ୍ବତ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

Related Posts