ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ରାଜରାସ୍ତାରୁ ହଟିବ ୧୫ ବର୍ଷରୁ ଅଧିକ ଦିନର ପୁରୁଣା ଗାଡି । ଯେଉଁ ଗାଡି ଗୁଡିକ ୧୫ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବ ଓ ଏହାର ଫିଟନେସ ନଥିବ ସେହି ଗାଡି ଗୁଡିକୁ ସ୍କ୍ରାପ କରାଯିବ। ଏଥିପାଇଁ ରାଜ୍ୟରେ ୨୦ଲକ୍ଷ ୩୯ ହଜାର ୫୦୦ ଗାଡି ଚିହ୍ନଟ ହୋଇଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନୀ ସାହୁ।

ମନ୍ତ୍ରୀ କହିଛନ୍ତି ଯେ, ସ୍କ୍ରାପ ହେବାକୁ ଥିବା ମୋଟ ଗାଡିରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଟି ମଟର ସାଇକେଲ ଓ ସ୍କୁଟର ରହିଛି। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡିକୁ ସ୍କ୍ରାପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡିର ଫିଟନେସ ରହିଛି । ଫିଟନେସ ନଥିବା ଗାଡିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପିଂ ପଲିସି ୨୦୨୨ ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଉପରୋକ୍ତ ତଥ୍ୟ ଦେଇଛନ୍ତି ।