ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନର ପ୍ରଥମ ପର୍ଯ୍ଯାୟରେ ଆଜି ଗୃହକାର୍ଯ୍ଯ ଚଳାଇ ଦେଇ ନଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ଚାଷୀ ମୃତ୍ୟୁ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ। ତେବେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହ କାର୍ଯ୍ୟ କରାଇ ଦେଇନଥିଲେ ।ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ଯ ସ୍ବାଭାବିକ ହୋଇଥିଲା ।
ସେପଟେ ଆଜି ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଦୁଇଟି ଗଣମାଧ୍ୟମ ସଂସ୍ଥା ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ଅମର। ଆଜି ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ନେଇ ସେ ଆପତ୍ତି ଉଠାଇଛନ୍ତି । ଯେଉଁ ବିଷୟକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ତାହା କିଭଳି ପ୍ରକାଶ ପାଇଲା ? ସେହିପରି ‘ଓଟିଭି’ ବି କିପରି ସେହି ଖବର ପ୍ରସାରଣ କଲା ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ଯାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିବା ପରେ ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତକାଲି ନବ ଦାସ ହତ୍ୟା ପ୍ରସଙ୍ଗରେ ମୋସନ ଆଲୋଚନା ସମୟରେ ବିରୋଧୀ ଦଳ ନେତା 5T ସଚିବ ଓ ନବୀନ ନିବାସ ନାଁ ନେଇଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଶାସକ ବିଜେଡି ସଦସ୍ୟ। ଏହାପରେ ଗୃହ ବିବରଣୀରୁ ଏହାକୁ ବାଦ୍ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ତେବେ ଗୃହ ବିବରଣୀରୁ ବାଦ୍ ଦେବା ସତ୍ତ୍ୱେ ଏନେଇ ଖବର ପ୍ରସାରଣ କରିଥିବା ଅଭିଯୋଗ ଆଣି ବିଜେଡି ବିଧାୟକ ଅମର ଶତପଥୀ ଆଜି ୨ ଗଣମାଧ୍ୟମ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି।
