ସତ୍ୟପାଠ | ୨୭ ଅକ୍ଟୋବର ୨୦୨୬: ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା। ଆନ୍ଧ୍ରରେ ସୋମବାର ରାତି ସୁଦ୍ଧା ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଖବର ଆସିଛି। ଓଡ଼ିଶାରେ ମଧ୍ୟ ଛଅଟି ଦକ୍ଷିଣ ଜିଲ୍ଲାରେ ସତର୍କତା ବଢ଼ିଛି। ଆଠଜଣ ମନ୍ତ୍ରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି।
କିନ୍ତୁ ପ୍ରଶ୍ନ ହେଉଛି—କେତେ ମନ୍ତ୍ରୀ ମୁତୟନ ହେଲେ ତାହା ନୁହେଁ, କେତେ ବିପଦପ୍ରବଣ ପରିବାରଙ୍କୁ ସୁରକ୍ଷିତ କରାଗଲା?
କୋରାପୁଟ, ଗଜପତି, ରାୟଗଡ଼ା ଓ ମାଲକାନଗିରିର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ରାସ୍ତା ବିଚ୍ଛିନ୍ନ ହେବାର ବିପଦ ରହିଛି।
ସରକାର କହନ୍ତୁ—କେତେ ଦୁର୍ଗମ ଗାଁକୁ ବିପଦପ୍ରବଣ ଚିହ୍ନଟ କରାଯାଇଛି? କେତେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି? କେଉଁ ଗାଁରେ ଖାଦ୍ୟ, ଔଷଧ ଓ ପାନୀୟଜଳ ମହଜୁଦ ରହିଛି?
ବାତ୍ୟା ଆନ୍ଧ୍ରରେ ମାଡ଼ ହୋଇପାରେ। କିନ୍ତୁ ଓଡ଼ିଶାର ଆଦିବାସୀ ଗାଁ ପାଇଁ ପ୍ରକୃତ ବିପଦ ହୋଇପାରେ ପ୍ରବଳ ବର୍ଷା।
ବିପର୍ଯ୍ୟୟ ପରେ ରିଲିଫ୍ ଦେବା ନୁହେଁ, ବିପର୍ଯ୍ୟୟ ପୂର୍ବରୁ ଜୀବନ ବଞ୍ଚାଇବା ହେଉଛି ସରକାରଙ୍କ ଅସଲ ପରୀକ୍ଷା।
