ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଆଜି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆଗତ ହୋଇଛି ରାଜ୍ୟ ବଜେଟ। ବଜେଟ ଉପସ୍ଥାପନ କରି ରାଜ୍ୟରେ ଜନସ୍ୱାସ୍ଥ୍ୟ ସେବାକୁ ସରକାର ଗୁରୁତ୍ବ ଦେଇଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ବାସ୍ଥ୍ୟ ସେବା ପାଇଁ ଏହି ବଜେଟରେ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର। ଗତ ଆର୍ଥିକ ବର୍ଷର ତୁଳନାରେ ଏଥର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଫୋକସ କରାଯାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି । ବଜେଟ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାୟ ୩ ଗୁଣ ଅଧିକ ବଜେଟ୍‌ ମିଳିଛି।

ଅର୍ମଥନ୍ତ୍ରୀ କହିଛନ୍ତି ଯେ, ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ। ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ।

ଏଥର ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କିପରି ଲୋକମାନଙ୍କ ପାଇଁ ବରଦାନ ସାଜିଛି ସେ ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ଭିତିଭୂମିର ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ଏସସିବିର ପୁନଃବିକାଶ ପାଇଁ ୧ ହଜାର ୪ ଶହ କୋଟି ଟଙ୍କା ରହିଛି । ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଚଳିତ ବଜେଟରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ରାଜ୍ୟ ବଜେଟରେ ଜନସାଧାରଣଙ୍କୁ କେମୋଥେରାପି, ଅଙ୍କୋ ସର୍ଜରୀ, ରେଡିଓଥେରାପି ଓ ପୀଡା ଉପଶମକାରୀ କର୍କଟରୋଗର ଚିକିତ୍ସା ପାଇଁ ୩ଟି ପର୍ଯ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ବଜେଟରେ ୧ ହଜାର ୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନ୍ୟପଟେ କର୍କଟ ଚିକିତ୍ସା କେନ୍ଦ୍ର ପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପିଏମ୍-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ମିଶନ ପାଇଁ ୩ ଶହ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ଏବେ ଏହି ରାଶିର ପରିମାଣ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ‌ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।