ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ବଗଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ସିଡିଏମ୍‌ଓ ଡାକ୍ତର ଚାରୁବାଳା ରଥ। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ସିଡିଏମ୍‌ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଚିଠି ଲେଖିଛନ୍ତି ଓ ଜିଲ୍ଲାପାଳଙ୍କ ବଦଳି ପାଇଁ ନିବେଦନ କରିଛନ୍ତି।

ବରଗଡ଼ ସିଡିଏମ୍‌ଓ ଡାକ୍ତର ଚାରୁବାଳା ରଥ ସମ୍ପୂର୍ଣ ଘଟଣା ବିଷୟରେ ଚିଠିରେ ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, ଗତ ୨୧ ତାରିଖରେ ଏକ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ମୁଁ ଯାଉଥିଲି। ଠିକ୍‌ ସେହି ସମୟରେ ଅଚାନକ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ତାଙ୍କୁ ଫୋନ୍‌ କରି ଟେଣ୍ଡର (Technomanagerial Tender) ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ? ସେ ସଙ୍ଗେ ସଙ୍ଗେ କହିଥିଲେ ପ୍ରୋସେସ୍‌ ଚାଲିଛି। ଡିପିଏମ୍‌ଙ୍କୁ ପଚାରି କହୁଛି ବୋଲି ଡାକ୍ତର ଚାରୁବାଳା କହିଥିଲେ। ଏଥିରେ ରାଗି ଯାଇ ଜିଲ୍ଲାପାଳ ଉଚ୍ଚ ପାଟିରେ ଚିତ୍କାର କରିଥିଲେ। ଆଉ କହିଥିଲେ, ଆପଣ କିଛି ଜାଣିନାହାନ୍ତି ତ ସେ ଚେଆରରେ କାହିଁକି ବସିଛ? ଜିଲ୍ଲାପାଳଙ୍କ ଏପରି କଥା ସିଡିଏମ୍‌ଓ ଡାକ୍ତର ଚାରୁବାଳା ରଥଙ୍କୁ ବହୁ ବାଧିଥିଲା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଜିଲ୍ଲାପାଳ ବାରମ୍ୱାର ଏପରି କହୁଛନ୍ତି। ଏଥିରେ ଅତିଷ୍ଠ ହୋଇ ସିଡିଏମ୍‌ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ଚିଠିରେ ନିବେଦନ କରିଛନ୍ତି।

ସେପଟେ ସିଡିଏମ୍‌ଓଙ୍କ ଅଭିଯୋଗ ନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀ କହି କହିଛନ୍ତି ଯେ, ଚିଠି ପଢ଼ିନଥିବାରୁ କିଛି କହିପାରିବି ନାହିଁ।