ଭୁବନେଶ୍ଵର,୨୬/୨(ସତ୍ୟପାଠ ବ୍ୟୁରୋ): ରାଜନୀତିରୁ ଅବସର ନେବେନାହିଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାଜନୀତି ଛାଡ଼ିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟରେ ନିଜେ ସୋନିଆ ଏହା ସ୍ପଷ୍ଟ କରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ଅବସର ନେଇନଥିଲେ କି ଆଗକୁ ମଧ୍ୟ ନେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି। ସୋନିଆ ନିଜେ ଏହା ସ୍ପଷ୍ଟ କରିଥିବା ଦଳର ନେତ୍ରୀ ତଥା ମୁଖପାତ୍ର ଅଳକା ଲାମ୍ବା ଏହି ସୂଚନା ଦେଇଛନ୍ତି।
ଆଜି ଅଳକା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ପ୍ରସଙ୍ଗ ଉପରେ ତାଙ୍କର ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ହୋଇଥିଲା। ଗଣମାଧ୍ୟମ ଏବଂ ସାଧାରଣରେ ହେଉଥିବା ଚର୍ଚ୍ଚା ନେଇ ସେ ସୋନିଆଙ୍କୁ ଅବଗତ କରାଇଥିଲେ। ତେବେ ସୋନିଆ ହସି ହସି ଏସବୁକୁ ଖଣ୍ଡନ କରିଥିବା ଅଳକା ଲାମ୍ବା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଛତିଶଗଡର ରାଜଧାନୀ ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ମହା ଅଧିବେଶନରେ ଗତକାଲି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାବବିହ୍ୱଳ ଅଭିଭାଷଣ ରଖିଥିଲେ। ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ଅଧ୍ୟକ୍ଷ ଥିବା ସମୟର ଅନୁଭୂତି ବଖାଣିଥିଲେ। ଏଥିସହ ସବୁଠୁ ପୁରାତନ ଦଳର ଅଧ୍ୟକ୍ଷତା ସମୟରେ ଦଳୀୟ କର୍ମୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଏହା ସହିତ ସୋନିଆ ଗାନ୍ଧି କହିଥିଲେ ଯେ, ଡ. ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ୱରେ ୨୦୦୪ଏବଂ ୨୦୦୯ ରେ ଆମର ବିଜୟ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା। କିନ୍ତୁ ମୋତେ ଖୁସି ଦେଇଥିବା କଥାଟି ହେଉଛି ଯେ, ମୋର ଇନିଂସ ଐତିହାସିକ ଭରତ ଯୋଡା ଯାତ୍ରା ସହିତ ଶେଷ ହୋଇଛି।
ସୋନିଆଙ୍କ ଏଭଳି ଅଭିଭାଷଣ ପରେ ସେ ରାଜନୀତିରୁ ସନ୍ନ୍ୟାସ ନେଉଥିବା ଚର୍ଚ୍ଚା ଜୋର ଧରିଥିଲା। ଆଜି ସମସ୍ତ ଚର୍ଚ୍ଚା ଓ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣି ସେ ରାଜନୀତିରୁ ଅବସର ନେଉନଥିବା ସ୍ପଷ୍ଟ କରିଛନ୍ତି ସୋନିଆ ଗାନ୍ଧୀ।





