ବିରୋଧୀଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର, ସିସୋଦିଆଙ୍କ ସହ ଆମେ ଛିଡା ହେବୁ: ସଞ୍ଜୟ ରାଉତ

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ପରେ ବିରୋଧୀ ଦଳର ଅନେକ ନେତା କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଏହି କ୍ରମରେ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ସାଂସଦ ସଞ୍ଜୟ ରାଉତ ମଧ୍ୟ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସିସୋଦିଆଙ୍କ ବିରୋଧରେ ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ସରକାର ବିରୋଧୀଙ୍କ ସ୍ୱରକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି।

ସଞ୍ଜୟ ଆହୁରି କହିଛନ୍ତି ଯେ, ଯିଏ ସରକାରଙ୍କ ବିରୋଧରେ ପ୍ରଶ୍ନ ପଚାରୁଛନ୍ତି ତାଙ୍କୁ ଇଡି ଏବଂ ସିବିଆଇର ଭୟ ଦେଖାଇ ଗିରଫ କରାଯାଉଛି। ସେ କଟାକ୍ଷ କରି କହିଛନ୍ତି ଯେ ହିମାଳୟର ସମସ୍ତ ସାଧୁମାନେ ବିଜେପିରେ ଅଛନ୍ତି । ବିଜେପି ନେତାମାନେ କୌଣସି ଦୁର୍ନୀତିରେ ସମ୍ପୃକ୍ତ ନାହାନ୍ତି। ଏଲଆଇସି, ଏସବିଆଇକୁ କେଉଁମାନେ ଲୁଟିଲେ ସମସ୍ତେ ସରକାରଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି | ସେଥିପାଇଁ ଏହା ସେମାନଙ୍କ ସହ ଘଟୁଛି। ସଞ୍ଜୟ ଆହୁରି କହିଛନ୍ତି ଯେ ବିଜେପି ଯେତେ ଅତ୍ୟାଚାର କରୁନା କାହିଁକି, ଆମେ କହିବା ଜାରି ରଖିବୁ ଏବଂ ଆମ ଦଳ ମନୀଷ ସିସୋଦିଆଙ୍କ ସହ ଛିଡା ହେବ ବୋଲି ସଞ୍ଜୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଅପରାହ୍ନ ୨ଟାରେ କୋର୍ଟରେ ହାଜର କରାଯିବ । ତାଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ସିବିଆଇ ତାଙ୍କର ଡାକ୍ତରୀ ପରୀକ୍ଷା କରିଛି। ଅନ୍ୟପଟେ ଆପ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଗତକାଲି ଠାରୁ ଆମ୍ ଆଦମୀ ପାର୍ଟିର ପ୍ରାୟ ୮୦% ନେତାଙ୍କୁ କେନ୍ଦ୍ର ସରକାର ଗିରଫ କରିଛନ୍ତି। ଏମାନଙ୍କ ମଧ୍ୟରେ ଡଜନେ ବିଧାୟକ, କାଉନସିଲର, ଲୋକସଭା ଇନଚାର୍ଜ, ଜିଲ୍ଲା ସଭାପତିମାନେ ପୋଲିସ ହେପାଜତରେ ଅଛନ୍ତି। ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ ବୋଲି ସେ କହିଛନ୍ତି ।

Related Posts